
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରରେ ଜିଲ୍ଲା ସଂଗ୍ରହାଳୟର ସ୍ୱପ୍ନ ଦେଖିଛନ୍ତି ଜିଲ୍ଲାପାଳ ଡ. ସାହୁ । ଏକ ବର୍ଷର ରହଣି ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଅନେକ ସ୍ୱପ୍ନ ଓ ଯୋଜନା ମଧ୍ୟରୁ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା ଏକ ପ୍ରମୁଖ ସ୍ୱପ୍ନ ଭାବେ ସାମ୍ନାକୁ ଆସିଛି । ଐତିହ୍ୟ, କଳା, ସଂସ୍କୃତି ଓ ପ୍ରାଚୀନ ପରମ୍ପରାରେ ସମୃଦ୍ଧ ସୁବର୍ଣ୍ଣପୁର ଜିଲ୍ଲାର ଗୌରବମୟ ଅତୀତକୁ ସଂରକ୍ଷଣ କରି ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ଏକ ସୁସଜ୍ଜିତ ଜିଲ୍ଲା ସଂଗ୍ରହାଳୟର ଆବଶ୍ୟକତାକୁ ସେ ଅନୁଭବ କରିଛନ୍ତି । ଏହି ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଏକ ପ୍ରତିନିଧି ଦଳ ବୌଦ୍ଧ ଜିଲ୍ଲାର ଐତିହାସିକ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ସଂଗ୍ରହାଳୟର ଗଠନ, ଐତିହାସିକ ସାମଗ୍ରୀର ସଂରକ୍ଷଣ, ବିଭିନ୍ନ ଗ୍ୟାଲେରୀ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଓ ପର୍ଯ୍ୟଟକ ଆକର୍ଷଣର ବ୍ୟବସ୍ଥାକୁ ଦଳ ଅନୁଧ୍ୟାନ କରିଥିଲେ । ଏହାପରେ ସୁବର୍ଣ୍ଣପୁରରେ ଏକ ନୂତନ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଏହି ପରିଦର୍ଶନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ପରିଷଦ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ପ୍ରମୁଖ ସାମିଲ ଥିଲେ । ବୌଦ୍ଧ ଜିଲ୍ଲା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ବିନୟ ଭୋଇ, ଜିଲ୍ଲା ପରିଷଦ ଅଧିକାରୀ ପ୍ରଭାସ ଦଣ୍ଡସେନା, ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୋଇ, ଆର୍କିଟେକ୍ଟ ଡ. ସୁଶ୍ରୀ ସୁମନ ଷଡ଼ଙ୍ଗୀ ଏବଂ ସଂଗ୍ରହାଳୟ କର୍ମଚାରୀ ଶୁଭ୍ରଜିତ ଦାନୀ ଉପସ୍ଥିତ ଥିଲେ । ଏଥିସହ ଉଭୟ ଜିଲ୍ଲାର କିଛି ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ମଧ୍ୟ ଏହି ପରିଦର୍ଶନରେ ସାମିଲ ହୋଇଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲାର ସ୍ଥାନୀୟ ଇତିହାସ, କଳା, ସଂସ୍କୃତି ଓ ପ୍ରାଚୀନ ପରମ୍ପରାକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ସହରରେ ‘ଜିଲ୍ଲା ସଂଗ୍ରହାଳୟ’ ପ୍ରତିଷ୍ଠା କରାଯାଇଛି । ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ବୌଦ୍ଧ ସଂଗ୍ରହାଳୟ ସହ ପୂର୍ବ ଅନୁଭବ ରହିଛି । ଶ୍ରୀ ମେହେର ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରଶାସନିକ ଦାୟିତ୍ୱରେ ଥିବା ସମୟରେ ସଂଗ୍ରହାଳୟ ପ୍ରତିଷ୍ଠାରେ ତାଙ୍କର ମଧ୍ୟ ଉଲ୍ଲେଖନୀୟ ସହଯୋଗ ଓ ପ୍ରଶାସନିକ ଅବଦାନ ରହିଥିଲା । ବୌଦ୍ଧ ସଂଗ୍ରହାଳୟ ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଏକ ସ୍ୱପ୍ନ ଓ ମାନସ ସନ୍ତାନ ଥିଲା । ତାଙ୍କର ଦୂରଦୃଷ୍ଟି, ନିଷ୍ଠା ଓ ନିରନ୍ତର ପ୍ରଚେଷ୍ଟା ସହ ଶ୍ରୀ ମେହେରଙ୍କ ସହଯୋଗ ଓ ପ୍ରଶାସନିକ ଅବଦାନ ଫଳରେ ଏହି ଐତିହାସିକ ସଂଗ୍ରହାଳୟ ବାସ୍ତବ ରୂପ ନେଇପାରିଥିଲା । ତେଣୁ ବୌଦ୍ଧ ସଂଗ୍ରହାଳୟର ସଫଳ ଅନୁଭବ ଓ ଏହା ସହ ଜଡ଼ିତ ଅଧିକାରୀମାନଙ୍କ ଅଭିଜ୍ଞତା ସୁବର୍ଣ୍ଣପୁରରେ ପ୍ରସ୍ତାବିତ ଜିଲ୍ଲା ସଂଗ୍ରହାଳୟର ପରିକଳ୍ପନା ଓ କାର୍ଯ୍ୟାନ୍ୱୟନ ପାଇଁ ନିଶ୍ଚିତ ଭାବେ ଏକ ମୂଲ୍ୟବାନ ମାର୍ଗଦର୍ଶନ ହେବ । ଏହା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨ ଜାନୁଆରୀ ୨୦୨୧ରେ ଉଦ୍ଘାଟନ କରାଯାଇଥିଲା । ବୌଦ୍ଧର ରାଜାଙ୍କ ଅମଳର ଏକ ଐତିହାସିକ କୋଠା, ଯେଉଁଠାରେ ପୂର୍ବରୁ ରାଜାଙ୍କ ଦରବାର ଚାଲୁଥିଲା ଏବଂ ପରବର୍ତ୍ତୀ ସମୟରେ ଯାହା ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ଭାବେ ବ୍ୟବହୃତ ହୋଇଥିଲା, ସେହି ପ୍ରାୟ ୧୦୦ ବର୍ଷ ପୁରୁଣା ଐତିହାସିକ କୋଠାକୁ ସଂରକ୍ଷଣ କରି ସଂଗ୍ରହାଳୟରେ ପରିଣତ କରାଯାଇଛି । ଫଳରେ ସଂଗ୍ରହାଳୟର ଭବନ ନିଜେ ବୌଦ୍ଧର ଇତିହାସର ଏକ ଜୀବନ୍ତ ସାକ୍ଷୀ ଭାବେ ଠିଆ ହୋଇଛି । ବର୍ତ୍ତମାନ ସଂଗ୍ରହାଳୟର ଭୂତଳ ମହଲାରେ ୧୫ଟି ଗ୍ୟାଲେରୀ ରହିଛି । ପ୍ରଥମ ମହଲାରେ ପର୍ଯ୍ୟଟକ ଓ ଦର୍ଶକମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ମନୋରଞ୍ଜନ ମୂଳକ ଓ ଜ୍ଞାନବର୍ଦ୍ଧକ ବ୍ୟବସ୍ଥା କରାଯାଇଛି । ପାରମ୍ପରିକ ଐତିହ୍ୟ ସହ ଆଧୁନିକ ପ୍ରଯୁକ୍ତି ଓ ମନୋରଞ୍ଜନକୁ ସମନ୍ୱିତ କରି ସଂଗ୍ରହାଳୟକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯାଇଛି । ବୌଦ୍ଧ ସଂଗ୍ରହାଳୟର ଅନ୍ୟତମ ବିଶେଷତା ହେଉଛି ଏହା ବୌଦ୍ଧବାସୀଙ୍କ ଭାବନା ଓ ଆବେଗ ସହ ଗଭୀର ଭାବେ ଜଡ଼ିତ । ସଂଗ୍ରହାଳୟରେ ପ୍ରଦର୍ଶିତ ଅଧିକାଂଶ ସାମଗ୍ରୀ ବୌଦ୍ଧର ସାଧାରଣ ଜନତା ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଭାବେ ଦାନ କରାଯାଇଛି । ତେଣୁ ପ୍ରତ୍ୟେକ ସାମଗ୍ରୀ ସହିତ ଲୋକଙ୍କ ସ୍ମୃତି, ଭାବନା ଓ ଅଞ୍ଚଳର ସାମାଜିକ ଇତିହାସ ଜଡ଼ି ରହିଛି । ସଂଗ୍ରହାଳୟରେ ଥିବା ଟେକ୍ସଟାଇଲ୍ ଗ୍ୟାଲେରୀରେ ପୁରାତନ ହସ୍ତତନ୍ତ କୌଶଳ, ପ୍ରାକୃତିକ ରଙ୍ଗ ପ୍ରସ୍ତୁତି ପ୍ରଣାଳୀ ଓ ପୁରୁଣା ଶୈଳୀର ଶାଢ଼ୀ ପ୍ରଦର୍ଶିତ ହୋଇଛି । ଏଠାରେ ପ୍ରାୟ ୮୨ ବର୍ଷ ପୁରୁଣା ଏକ ଶାଢ଼ୀ ମଧ୍ୟ ରହିଛି । ରାଜକୀୟ ଗ୍ୟାଲେରୀରେ ବୌଦ୍ଧର ରାଜପରିବାର ଓ ରାଜବଂଶ ସହ ସମ୍ପୃକ୍ତ ବିଭିନ୍ନ ଐତିହାସିକ ସାମଗ୍ରୀ ପ୍ରଦର୍ଶିତ ହୋଇଛି । କଳା ଓ ସଂସ୍କୃତି ଗ୍ୟାଲେରୀରେ ପୁରୁଣା ଗ୍ରାମୀଣ ଜୀବନଶୈଳୀ, ପ୍ରାଚୀନ ଇତିହାସ ଓ ପାରମ୍ପରିକ କାର୍ଯ୍ୟକଳାପର ପ୍ରତିଫଳନ ଦେଖିବାକୁ ମିଳେ । ଏହା ବ୍ୟତୀତ ପର୍ଯ୍ୟଟକ ଓ ଶିଶୁମାନଙ୍କ ଆକର୍ଷଣ ପାଇଁ ମତ୍ସ୍ୟ ଆକ୍ୱାରିୟମ୍, ଆଧୁନିକ ୧୧-ଡି ଥିଏଟର, ପାଠାଗାର ଓ ଗବେଷଣା କକ୍ଷ, ଫୁଡ୍ କୋର୍ଟ, ମିରର୍ ମେଜ୍ ଏବଂ ଗ୍ରାଭିଟି ଟନେଲ୍ ଭଳି ବିଭିନ୍ନ ବ୍ୟବସ୍ଥା ରହିଛି । ଫଳରେ ଇତିହାସ ଓ ଐତିହ୍ୟ ସହ ଆଧୁନିକ ମନୋରଞ୍ଜନର ଏକ ଅନନ୍ୟ ସମନ୍ୱୟ ଏଠାରେ ଦେଖିବାକୁ ମିଳେ । ଏହି ପରିଦର୍ଶନ ସମୟରେ ବୌଦ୍ଧ ସଂଗ୍ରହାଳୟର ନିର୍ମାଣ ଓ ପରିକଳ୍ପନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଆର୍କିଟେକ୍ଟ ଡ. ସୁଶ୍ରୀ ସୁମନ ଷଡ଼ଙ୍ଗୀ ସଂଗ୍ରହାଳୟର ଡିଜାଇନ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଏହି ଅନୁଭବ ସୁବର୍ଣ୍ଣପୁରରେ ପ୍ରସ୍ତାବିତ ଜିଲ୍ଲା ସଂଗ୍ରହାଳୟର ପରିକଳ୍ପନା ଓ ଡିଜାଇନ୍ ପାଇଁ ମଧ୍ୟ ଉପଯୋଗୀ ହେବ ବୋଲି ଆଶା କରାଯାଉଛି । ସୁବର୍ଣ୍ଣପୁର ମାଟି ଏକ ଐତିହ୍ୟସମ୍ପନ୍ନ ଭୂମି । ଏହାର ବୟନ ପରମ୍ପରା, ଲୋକକଳା, ଲୋକସଂସ୍କୃତି, ସାହିତ୍ୟ, ସଙ୍ଗୀତ, ପ୍ରାଚୀନ ଐତିହ୍ୟ ଓ ଜନଜୀବନର ଅନେକ ଅଜଣା କାହାଣୀ ମଧ୍ୟ ସଂରକ୍ଷଣର ଅପେକ୍ଷାରେ ରହିଛି । ଏହି ସବୁକୁ ଏକ ସ୍ଥାନରେ ସଂଗ୍ରହ କରି ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ଏକ ଜିଲ୍ଲା ସଂଗ୍ରହାଳୟର ଆବଶ୍ୟକତା ଅନୁଭବ କରାଯାଉଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ସଂଗ୍ରହାଳୟ ସୁବର୍ଣ୍ଣପୁର ପାଇଁ ଏକ ଉତ୍ତମ ମଡେଲ୍ ଓ ପ୍ରେରଣାର ଉତ୍ସ ହୋଇଛି । ବୌଦ୍ଧରେ ଯେପରି ଏକ ପୁରାତନ ଐତିହାସିକ କୋଠାକୁ ସଂରକ୍ଷଣ କରି ତାହାକୁ ଜନସାଧାରଣଙ୍କ ଭାବନା ସହ ଯୋଡ଼ି ଏକ ସଫଳ ସଂଗ୍ରହାଳୟର ରୂପ ଦିଆଯାଇଛି, ସେହିପରି ସୁବର୍ଣ୍ଣପୁରରେ ମଧ୍ୟ ଏକ ଐତିହ୍ୟଭିତ୍ତିକ, ଆଧୁନିକ ଓ ଆକର୍ଷଣୀୟ ସଂଗ୍ରହାଳୟ ପ୍ରତିଷ୍ଠା କରିବା ଦିଗରେ ଏହି ପରିଦର୍ଶନ ଏକ ନୂଆ ପଦକ୍ଷେପ ବୋଲି କୁହାଯାଇପାରେ । ଡ. ନୃପରାଜ ସାହୁଙ୍କ ଏହି ସ୍ୱପ୍ନ ବାସ୍ତବ ରୂପ ନେଲେ, ଏହା କେବଳ ଏକ ନୂତନ ଅଟ୍ଟାଳିକାର ନିର୍ମାଣ ହେବ ନାହିଁ ବରଂ ସୁବର୍ଣ୍ଣପୁରର ଇତିହାସ, ଐତିହ୍ୟ, କଳା, ସଂସ୍କୃତି ଓ ଲୋକସ୍ମୃତିକୁ ଆଗାମୀ ପିଢ଼ି ପାଇଁ ସାଇତି ରଖିବାର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ହେବ। ଆଗାମୀ ଦିନରେ ଏହି ସ୍ୱପ୍ନ ସାକାର ହେଲେ ସୁବର୍ଣ୍ଣପୁରର ପର୍ଯ୍ୟଟନ ମାନଚିତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବା ସହ ଜିଲ୍ଲାର ସାଂସ୍କୃତିକ ପରିଚୟକୁ ଆହୁରି ସୁଦୃଢ଼ କରିବ ।