jayashree

ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀଙ୍କ ହିତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୬୫୦ କୋଟି ଟଙ୍କାର ଅନୁଦାନ ଉତ୍ସର୍ଗୀକୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ସମୁଦାୟ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାର ଉନ୍ନତି ବିଧାନ ଏବଂ ସ୍ଵ-ରୋଜଗାର ନିମନ୍ତେ ୬୫୦ କୋଟି ଟଙ୍କାର ଅନୁଦାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଉତ୍ସର୍ଗୀକୃତ କରାଯାଇଛି । ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧଠାରେ ସେନା ତାଲିମ କେନ୍ଦ୍ର ପାଇଁ ବିସ୍ଥାପିତ ହୋଇଥିବା ୧,୩୭୧ଟି ଯୋଗ୍ୟ ନୋଳିଆ ପରିବାରଙ୍କ ଲାଗି ରାଜ୍ୟ ସରକାର ୭୫ କୋଟି ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ମଞ୍ଜୁର କରିଛନ୍ତି । ଏହା ଅଧୀନରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ୬୮ କୋଟି ୫୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଅସମ୍ପୂର୍ଣ୍ଣ ଗୃହ ନିର୍ମାଣ ପାଇଁ ୪.୨୫ କୋଟି ଟଙ୍କା ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ୨.୮୦ କୋଟି ଟଙ୍କା ପ୍ରଦାନ କରାଯାଉଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି । ଏହା ସହିତ ୯୩୬.୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ପରିବାରମାନଙ୍କୁ ସାନ୍ତରାପୁର କଲୋନୀରେ ୧୦ ଡିସିମିଲ୍ ଘରବାରି ଓ ୨ ଏକର ଲେଖାଏଁ ଚାଷଜମି ସହ ୯୬ଟି ଜମିପଟ୍ଟା ପ୍ରଦାନ କରାଯାଇଛି । ରାଜସ୍ୱ ପ୍ରଶାସନକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ‘ଆମ ଗାଁରେ ଆମ ତହସିଲ’ କାର୍ଯ୍ୟକ୍ରମ, କ୍ୟାମ୍ପ କୋର୍ଟ, ହ୍ୱାଟସ୍‌ଆପ୍ ଜରିଆରେ ଅଭିଯୋଗ ସମାଧାନ ଏବଂ ୧ କୋଟିରୁ ଉର୍ଦ୍ଧ୍ୱ ଖାତାରେ ଆର୍.ଓ.ଆର୍ ସଂଶୋଧନ ଭଳି ଯୁଗାନ୍ତକାରୀ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଉଲ୍ଲେଖ କରିଥିଲେ । ସେନା ତାଲିମ କେନ୍ଦ୍ର ପାଇଁ ଭିଟାମାଟି ତ୍ୟାଗ କରିଥିବା ଗୋଳାବନ୍ଧର ୧,୩୭୧ଟି ଯୋଗ୍ୟ ନୋଳିଆ ପରିବାରଙ୍କୁ ୭୫.୬୦ କୋଟିର ସ୍ୱତନ୍ତ୍ର ପୁନର୍ବାସ ପ୍ୟାକେଜ୍ ପରିବାର ପିଛା ୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଗୃହ ଓ ଭିତ୍ତିଭୂମି ସହାୟତା ଏବଂ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ୯୬ଟି ବିସ୍ଥାପିତ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇ ସେମାନଙ୍କ ତ୍ୟାଗକୁ ଉଚିତ ସମ୍ମାନ ଦିଆଯାଇଛି ବୋଲି ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ । ଏହା ସହିତ ଗଞ୍ଜାମର ଆର୍ଥିକ ବିକାଶ ଓ ଯୁବପିଢ଼ିଙ୍କ ନିଯୁକ୍ତି ପାଇଁ ବାହୁଦାଠାରେ ୨୧,୫୦୦ କୋଟି ଟଙ୍କା ବ୍ୟୟରେ ନୂଆ ବନ୍ଦର ନିର୍ମାଣ, ଗୋପାଳପୁର ଶିଳ୍ପ ପାର୍କରେ ୪୦,୦୦୦ କୋଟିରୁ ଉର୍ଦ୍ଧ୍ୱ ନିବେଶ, ୧୮,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ, ଭାରତୀୟ ସାମୁଦ୍ରିକ ବିଶ୍ୱବିଦ୍ୟାଳୟର ସାଟେଲାଇଟ୍ କ୍ୟାମ୍ପସ ଏବଂ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ସ୍ଥାପନ ଭଳି ଯୁଗାନ୍ତକାରୀ ପଦକ୍ଷେପ ଆମ ସରକାର ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ବିକାଶ କେବଳ ବନ୍ଦର, ଶିଳ୍ପ କିମ୍ବା ବଡ଼ ପ୍ରକଳ୍ପର ନାମ ନୁହେଁ । ବିକାଶର ପ୍ରକୃତ ଅର୍ଥ ହେଉଛି—ମଣିଷର ଜୀବନରେ ପରିବର୍ତ୍ତନ, ପରିବାରରେ ସମୃଦ୍ଧି ଏବଂ ଯୁବପିଢ଼ି ପାଇଁ ନୂଆ ସୁଯୋଗ ବୋଲି ସେ କହିଛନ୍ତି ।
ମତ୍ସ୍ୟଜୀବୀଙ୍କ ଜୀବନଜୀବିକାର ଉନ୍ନତି ପାଇଁ ଗୋପାଳପୁର-ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର ନିମନ୍ତେ ୫୪୫ କୋଟି ସମେତ କେଶପୁର, ଛତ୍ରପୁର ଓ ଅଗସ୍ତି ନୂଆ ଗାଁ ଲ୍ୟାଣ୍ଡିଂ ସେଣ୍ଟର ଆଦି ପ୍ରକଳ୍ପ ପାଇଁ ସମୁଦାୟ ୬୫୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି, ଯାହାଦ୍ୱାରା ୧୫ ହଜାରରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ ଉପକୃତ ହେବେ । ଜିଲ୍ଲାରେ ୫୦ କୋଟି ଟଙ୍କା ବ୍ୟୟରେ ଏକ ଫୁଡ୍ ପ୍ରୋସେସିଂ ପାର୍କ ସ୍ଥାପନ ସହ ସ୍ଥାନୀୟ ଯୁବକଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ଅଧୀନରେ ଉଦ୍ୟୋଗୀମାନଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ ବୋଲି ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ତାଙ୍କ ଉଦ୍‌ବୋଧନ ପ୍ରକାଶ କରିଥିଲେ । ପୁରୁଣା ଗ୍ରାମଗୁଡ଼ିକର ପଟ୍ଟା ସମସ୍ୟା, ଧବଳେଶ୍ୱର ପାର୍ଶ୍ୱବର୍ତ୍ତୀ ୪ଟି ପଞ୍ଚାୟତର ସିଭିଲ୍-ଆର୍ମି ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା, ଦକ୍ଷିଣ ଓଡ଼ିଶାର ଲୋକଙ୍କ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ସମ୍ବଲପୁର ଭଳି ଗଞ୍ଜାମରେ ଏମ୍ସ ପ୍ରତିଷ୍ଠା, ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ ସମସ୍ୟା ଦୂର କରି ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ପାଇଁ ହୁମା ଠାରେ ‘ସିପ୍ ବିଲ୍ଡିଂ ୟୁନିଟ୍’ ସ୍ଥାପନ ତଥା ମାର୍କଣ୍ଡି, ଗୋପାଳପୁର ଓ ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବ୍ରହ୍ମପୁରରେ ମଞ୍ଜୁର ହୋଇଥିବା ଫ୍ଲାଏଓଭର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଲାଗି ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି ସମାବେଶରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ମତ୍ସ୍ୟ, ପ୍ରାଣୀସମ୍ପଦ ବିକାଶ ତଥା ଏମ୍‌.ଏସ୍‌.ଏମ୍‌.ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିସହିତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ଗୋପାଳପୁର ଜି.ଏମ୍.ଏସ୍.ର ଷ୍ଟେସନ କମାଣ୍ଡର କଲୋନେଲ ଦାସ ଏବଂ ଏ.ଏ.ଡ଼ି.ସି.ର କାର୍ଯ୍ୟନିର୍ବାହୀ କମାଣ୍ଡାଣ୍ଟ ବ୍ରିଗେଡିୟର ହେମନ୍ତ ସିଂ ମଧ୍ୟ ଉପସ୍ଥିତ ରହିଥିଲେ । ଶେଷରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡଃ. ସରବଣା ବିବେକ ଏମ୍‌, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଭା ପ୍ର ସେ ଶିକ୍ଷାନବିସ ଏସ୍‌ ସାରନ୍ୟା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଓ ବିଭାଗୀୟ ଅଧିକାରୀମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.