
ବୀରମିତ୍ରପୁର, (କେପିଏନ୍ଏସ୍) : ଗତକାଲି ବାନିଗୁନୀ ଗ୍ରାମର ଶ୍ରମିକ ସ୍ୱର୍ଗତ ମାନିଆ ଏକ୍କାଙ୍କ ମୃତ୍ୟୁ ଖବର ପାଇ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ତୁରନ୍ତ ଜେପି ହସ୍ପିଟାଲ, ରାଉରକେଲାରେ ପହଞ୍ଚି ପରିବାରକୁ ଭେଟି ସମବେଦନା ଜଣାଇଲେ । ଡ୍ୟୁଟି ସମୟରେ ତଳେ ପଡି ଗୁରୁତର ହୋଇ ଜେପି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା । ବିଧାୟକଙ୍କ ହସ୍ତକ୍ଷେପ ପରେ କମ୍ପାନୀ କର୍ତ୍ତୃପକ୍ଷ ମୃତକଙ୍କ ପତ୍ନୀ ଶ୍ରୀମତୀ ଜୟମୁନୀ ଏକ୍କାଙ୍କୁ ମୋଟ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ଚାକରି ଦେବାକୁ ରାଜି ହୋଇଛନ୍ତି ଏବଂ ଅନ୍ତିମ ସଂସ୍କାର ପାଇଁ ୫୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି । ବିଧାୟକଙ୍କ ସହ କୁଆଁରମୁଣ୍ଡା ଜିଲ୍ଲା ପରିଷଦ ରାଜେନ୍ଦ୍ର କୁଜୁର, ବିଧାୟକ ପ୍ରତିନିଧି ମହେଶ ସାହୁ ଏବଂ ଅନନ୍ୟ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ । ଏହି ଦୁଃଖଦ ସମୟରେ ବିଧାୟକ ପରିବାର ସହ ଛିଡା ହୋଇଛନ୍ତି ।