jayashree

ରାକ୍ଷୀପୂର୍ଣ୍ଣିମାର ଈଶ୍ୱରୀୟ ବାର୍ତ୍ତା 

ଗୋପାଳପୁର/ବାଲେଶ୍ୱର,
ଏ ବିଶ୍ୱବ୍ରହ୍ମାଣ୍ଡର ସ୍ୱାମୀ ଇଶ୍ୱରଙ୍କ ସବୁଠାରୁ ଶେଷ୍ଠ ସଂରଚନା ହେଉଛି ମନୁଷ୍ୟ । ଲକ୍ଷ ଲକ୍ଷ ଜୀବଜନ୍ତୁଙ୍କ ମଧ୍ୟରେ ଶେଷ୍ଠଜୀବ ମନୁଷ୍ୟ । ନିଜର ବୃଦ୍ଧି ଓ ବିବେକ ପାଇଁ ଶେଷ୍ଠତ୍ୱର ଆସନ ଅଳକୃତ କରିଛି ମନୁଷ୍ୟ । ଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି କି କେତେ ଜନ୍ମର ତପସ୍ୟା ଓ ପୁଣ୍ୟ ବଳରେ ଏହି ମନୁଷ୍ୟ ଜନ୍ମ ପ୍ରାପ୍ତି ହୁଏ । ଏହି ମନୁଷ୍ୟ ଜୀବନ ଅତ୍ୟନ୍ତ ଦୁର୍ଲଭ । ସେଥିପାଇଁ ମନୁଷ୍ୟ ମଧ୍ୟରେ ସ୍ନେହ, ପ୍ରେମ, ଦୟା, ମାନବିକତା, ପରଉପକାରିତା ଭଳି ସୁଗୁଣ ରହିବା ଅତ୍ୟନ୍ତ ଆବଶ୍ୟକ ତାହେଲେ ଯାଇ ଏ ମନୁଷ୍ୟ ଜୀବନ ସାର୍ଥକ ହେବ ।
ବେଦ ଓ ଉପନିଷଦ କହେ ସନାତନ ହିନ୍ଦୁ ଧର୍ମ ସର୍ବପୁରାତନ ଓ ସର୍ବଶ୍ରେଷ୍ଠ । ମହାନ୍ ଦାର୍ଶନିକ ତଥା ମହାପୁରୁଷ ସ୍ଵାମୀ ବିବେକାନନ୍ଦ ହିନ୍ଦୁ ସନାତନ ଧର୍ମର ମୂଳମନ୍ତ୍ର ବସୁଧୈବ କୁଟୁମ୍ବକମ୍ ବାର୍ତ୍ତାକୁ ସାରା ବିଶ୍ଵରେ ପହଞ୍ଚାଇଥିଲେ ଏବଂ ସନାତନ ଧର୍ମର ପ୍ରକୃତ ଉଦ୍ଦେଶ୍ୟ ସରଳ ନିର୍ଭୁଲ ଓ ପ୍ରାଞ୍ଜଳ ଭାବରେ ତାର ବ୍ୟାଖ୍ୟା ଆମେରିକାର ଚିକାଗୋ ସହରରେ ନିଜର ଓଜସ୍ୱିନୀ ବକ୍ତୃତା ଦ୍ଵାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିକାଗୋର ଧର୍ମ ସମ୍ମିଳନୀରେ ସେ ସନାତନ ହିନ୍ଦୁଧର୍ମକୁ ସଠିକ ଭାବରେ ଉପସ୍ଥାପନ କରିଥିବାରୁ ଆମଦେଶ ଭାରତର ସଂସ୍କୃତି ଓ ପରମ୍ପରାର ମହାନତାର ଗାଥା ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଥିଲା । ସତ୍ୟସନାତନ ହିନ୍ଦୁ ଧର୍ମ ଶାସ୍ତ୍ରରେ ଉଲ୍ଲେଖ ରହିଛି ବିଶ୍ଵର ଶକ୍ତିଶାଳୀ ରାଷ୍ଟ୍ର ଯେପରି ଆମେରିକା, ରୁଷ, ଜାପାନ, ଇଂଲଣ୍ଡ ମଧ୍ୟ ସନାତନ ହିନ୍ଦୁ ଧର୍ମକୁ ଯଥେଷ୍ଟ ସମ୍ମାନ କରନ୍ତି ଏବଂ ଏହାର ଉପାଦେୟତା ଓ ମହତ୍ତ୍ୱକୁ ବୁଝି ନିଜର ବ୍ୟସ୍ତବହୁଳ ଜୀବନକୁ ସରସ ସୁନ୍ଦର ଏବଂ ଶାନ୍ତିପୂର୍ଣ୍ଣ କରିବା ପାଇଁ ଯଥାସମ୍ଭବ ପ୍ରଚେଷ୍ଟା କରୁଛନ୍ତି । ସେଥିପାଇଁ କୁହାଯାଇଛି ଯେ, “ସର୍ବ ପୁରାତନ ଧର୍ମ ସତ୍ୟରେ ସ୍ଥାପିତ, ସନାତନ ଧର୍ମ ନାମେ ବିଶ୍ଵରେ ବିଦିତ । ବେଦରେ ପର୍ଯ୍ୟବେଶିତ ଏହି ଆମ ଧର୍ମ, ସର୍ବଦା ବିକାଶଶୀଳ ବୈଜ୍ଞାନିକ ଧର୍ମ, ପୃଥିବୀର ସୃଷ୍ଟି ବେଳୁ ରହିଛି ଏକ ଧର୍ମ ଏବଂ ସୃଷ୍ଟି ନାଶ ଯାଏ ରହିବ ଏ ଧର୍ମ । ବହୁମତ ବହୁପଥ ମିଳିତ ଏଠାରେ, ସ୍ଥାପିତ ନୁହେଁ ଏ ଧର୍ମ ବ୍ୟକ୍ତି ବିଶେଷରେ । ବିନାଶ କରିବା ପାଇଁ ଏ ଧର୍ମ ଅସ୍ଥିତ୍ୱ, ବିଧର୍ମୀ ଷଡ଼ଯନ୍ତ୍ରର ରହିଛି ଦୃଷ୍ଟ।ନ୍ତ, ସବୁ ଭୟ ପ୍ରଲୋଭନ କରି ପ୍ରତିହତ, ଆଜିବି ଏ ଧର୍ମ ଅଛି ଦିଗନ୍ତ ବିସ୍ତୃତ । ସତ୍ୟ ଓ ଅହିଂସା ମୂଳତତ୍ତ୍ଵ ଏ ଧର୍ମର, ଦୟା, କ୍ଷମା, ଦାନ, ପରୋପକାର ଚରିତ୍ର ହିନ୍ଦୁର ।
ଅହିଂସା ପରମ ଧର୍ମ ମାନିଥାଏ ହିନ୍ଦୁ । ଧର୍ମ, ଅହିଂସା ନୀତି ପାଳିଥାଏ ହିନ୍ଦୁ । ଭାଗବତ ଗୀତା ହିନ୍ଦୁ ଜୀବନ ଆଦର୍ଶ । ତହିଁରେ ରହିଛି ସବୁ ଜ୍ଞାନର ନିଷ୍କର୍ଷ । ଋକ୍‌, ସାମ୍‌, ଯର୍ଜୁ ଏବଂ ଅଥର୍ବ ଯେ ୪ ବେଦ, କୋଟି ବ୍ରହ୍ମାଣ୍ଡର ଜ୍ଞାନ ତହିଁ ଲିପିବଦ୍ଧ । ଅନେକ ପରମ୍ପରା ଓ ଦର୍ଶନ ନୀତି, ନିୟମ ଆଦର୍ଶର ମେଳ, ସନାତନ ଧର୍ମ ଏହା ଥିବ ଚିରକାଳ ।”
ମହାଭାରତ ଯୁଦ୍ଧକ୍ଷେତ୍ରରେ ମୋହବଦ୍ଧ ଅର୍ଜୁନଙ୍କ ଉଦ୍ଦେଶ୍ୟରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଥିଲେ, ଯେତେବେଳେ ସଂସାରରେ ଧର୍ମର ପରାଭବ ଘଟି ଅଧର୍ମର ଉତ୍‌ଥାନ ହୁଏ, ମୁଁ ସେତେବେଳେ ବିଧର୍ମୀମାନଙ୍କୁ ବିନାଶକରି ଧର୍ମର ସୁରକ୍ଷା ଏବଂ ସାଧୁ ମାନଙ୍କର ପରିତ୍ରାଣ ପାଇଁ ଅବତାର ଗ୍ରହଣ କରେ । ଅତ୍ୟାଚାରୀ ଶାସକମାନେ ଆମ ସଂପ୍ରସାରଣର ହୀନ ମନବୃତ୍ତି ବଶତଃ “ଧର୍ମ” ଭଳି ଶବ୍ଦକୁ ରାଜନୈତିକ ସ୍ୱାର୍ଥସାଧନରେ ବ୍ୟବହାର କରୁଛନ୍ତି । ଅତ୍ୟାଚାରୀ ଓ ଅଧର୍ମୀ ଆଉରଙ୍ଗଜେବଙ୍କ ଧର୍ମ ଭିତ୍ତିକ ରାଜନୀତି ତତ୍କାଳୀନ ହିନ୍ଦୁ ପ୍ରଜାମାନଙ୍କୁ ନିର୍ଯ୍ୟାତନା ଓ ଅତ୍ୟାଚାର ସହିବାକୁ ପଡିଥିଲା । ଏପରିକି ପରବର୍ତ୍ତୀ କାଳରେ ବ୍ରିଟିଶ ଶାସକମାନେ ମଧ୍ୟ ସ୍ଵଧର୍ମର ପ୍ରଚାର ନିମନ୍ତେ ଭାରତୀୟ ଧର୍ମ ଓ ସଂସ୍କୃତି ଉପରେ ଛୁରିକାଘାତ କରିବାକୁ ସବୁ କଳେ, ବଳେ, କୌଶଳେ ଉପଯୋଗ କରିଥିଲେ । ସେ ହୃଦୟ ବିଦାରକ ନିର୍ଯ୍ୟାତନାର କାହାଣୀ ଇତିହାସ ପୃଷ୍ଠାରୁ କେବେ ଲିଭିଯିବ ନାହିଁ ।
ରାକ୍ଷୀପୂର୍ଣ୍ଣିମାକୁ ଓଡିଶାରେ ଗହ୍ମାପର୍ବ ବୋଲି କୁହାଯାଏ । ଆମ ହିନ୍ଦୁ ସନାତନ ସଂସ୍କୃତି ପରମ୍ପରା ବିଶ୍ୱରେ ଅଦ୍ୱିତୀୟ । ବିଶ୍ୱର ଆଉ କୌଣସି ରାଷ୍ଟ୍ରରେ ଏଭଳି ପର୍ବପର୍ବାଣି ପାଳନ କରାଯାଏ ନାହିଁ । ବିଶ୍ୱର ଶକ୍ତିଶାଳୀ ବିକଶିତ ରାଷ୍ଟ୍ର ଯେପରିକି  ଆମେରିକା, ରୁଷିଆ, ଜର୍ମାନୀ, ଜାପାନ, ଇଟାଲୀ, ଫ୍ରାନ୍ସ ଇତ୍ୟାଦିର ଅଧିବାସୀ ଆମ ଧର୍ମ, ସଂସ୍କୃତି, ପରମ୍ପରା, ପ୍ରତି ଆକର୍ଷିତ ହୋଇ ନିଜର ପୁଳା ପୁଳା ଟଙ୍କା, ବାଣ୍ଟି ବାଣ୍ଟି ସମ୍ପତ୍ତିକୁ ପରିହାର କରି ହିନ୍ଦୁ ଦେବାଦେବୀଙ୍କ ଶରଣରେ ନିଜକୁ ସମର୍ପି ଦେଉଛନ୍ତି । ଏହାହିଁ ହିନ୍ଦୁ ସନାତନ ଧର୍ମର ମହାନତା ଓ ବିଚିତ୍ରତା । ଏହାକୁ ଅସ୍ୱୀକାର କରିହେବନାହିଁ । ଅନେକ ହିନ୍ଦୁ ସନାତନ ଧର୍ମର ବ୍ୟକ୍ତି ଈଶ୍ୱର ବିଶ୍ୱାସୀ ଓ ନିଷ୍ଠାପର । ରଥଯାତ୍ରା, ଦୁର୍ଗାପୂଜା, କାଳୀପୂଜା, ଗଣେଶପୂଜା ଠାରୁ ଆରମ୍ଭ କରି ରାକ୍ଷୀପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ବପର୍ବାଣିର ନିଜର ବେଶିଷ୍ଟ୍ୟ, ଅଭିପ୍ରାୟ ଏବଂ ପାଳନ କରିବାର ଉପଯୁକ୍ତ ବିଧି ରହିଛି ।
ରାକ୍ଷୀପୂର୍ଣ୍ଣିମା ଯାହାକି ପବିତ୍ର ଶ୍ରାବଣମାସରେ ପାଳନ କରାଯାଏ ତାହାର ଈଶ୍ୱରୀୟ ବାର୍ତ୍ତା ରହିଛି । ଏକ ବିଂଶ ଶତାବ୍ଦୀର ସ୍ୱାର୍ଥପର ମନୁଷ୍ୟ ସାମାନ୍ୟ କିଛି କାଗଜର ଟଙ୍କା, ସମ୍ପତ୍ତି, ମାନ ମର୍ଯ୍ୟାଦା, କ୍ଷମତା, ଅହମିକା ପାଇଁ ସେ ରକ୍ତର ହୋଲି ଖେଳୁଛି, ନିଜର ବନ୍ଧୁପରିଜନ, ଜନ୍ମଦାତା, ଜନ୍ମଦାତ୍ରୀ, ଭ୍ରାତା, ଧର୍ମପତ୍ନୀ, ଭଗିନୀଙ୍କୁ ମଧ୍ୟ ହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହିଁ । ନିଜକୁ ସର୍ବଶେଷ୍ଠ, ସର୍ବଶକ୍ତିମାନ, ଜ୍ଞାନୀଗୁଣୀ, ବିଦ୍ୱାନ ବୃଦ୍ଧିମାନର ଡିଣ୍ଡିମ ପିଟୁଥିବା କଳିଯୁଗର ମନୁଷ୍ୟ ପାଇଁ ସମ୍ପର୍କର ମୂଲ୍ୟ ଆଜି ତୁଚ୍ଛ ହୋଇଯାଇଛି, ସ୍ନେହ, ପ୍ରେମ, ବଳିଦାନ ଦୟା, କ୍ଷମା, ଅବିଳତା, ବିଶ୍ୱାସ, ଶ୍ରଦ୍ଧା ପରି ମହନୀୟ ଗୁଣ ଅନେକ ବ୍ୟକ୍ତିଙ୍କ ପାଖରେ ଏହା ପରିଲକ୍ଷିତ ହେଉନାହିଁ । ଏକବିଂଶ ଶତାବ୍ଦୀର ସ୍ୱାର୍ଥପର ମନୁଷ୍ୟ ପାଇଁ ଅର୍ଥ ସର୍ବସ୍ୱ ହୋଇଯାଇଛି । ତା’ ପାଇଁ ସମ୍ପର୍କ ମୂଲ୍ୟହୀନ ହୋଇଯାଇଛି । 
          ମହାପ୍ରଭୁ କାଳିଆ ସାଆନ୍ତ ରାକ୍ଷୀପୂର୍ଣ୍ଣିମାରେ ଭାଇଭଉଣୀଙ୍କ ଅନାବିଳ ପ୍ରେମ, ସ୍ନେହ, ବନ୍ଧନ, ଅତୁଟ ବିଶ୍ୱାସ, ଭଲପାଇବାର ପରାକାଷ୍ଠା ସାରାମାନବ ସମାଜଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳାରେ ସାରା ବିଶ୍ୱକୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି । ନିଜର ଅଲିଅଳି ଭଗିନୀ ମାତା ସୁଭଦ୍ରାଙ୍କ ମାନ ରକ୍ଷା କରିବା ପାଇଁ ଅନେକ ଦୁଃଖ କଷ୍ଟ, ବାଧା, ବିଘ୍ନକୁ ପ୍ରତିହତ କରି ମହାପ୍ରଭୁ ଜଗନ୍ନାଥ ତାଙ୍କର ସବୁ ଇଛା ପୂର୍ଣ୍ଣ କରିଛନ୍ତି । ଏହାହିଁ ମହାପ୍ରଭୁ କାଳିଆ ସାଆନ୍ତଙ୍କ ମାନବୀୟ ଲୀଳାର ଅନନ୍ତ ପରାକାଷ୍ଠା । ରାକ୍ଷୀପୂର୍ଣ୍ଣିମାରେ ରାକ୍ଷୀର ମହତ୍ତ୍ୱକୁ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ । ଏହି ରାକ୍ଷୀ ସାମାନ୍ୟ ଗୋଟିଏ ସୁତା ନୁହେଁ ଏହା ଭାଇଭଉଣୀଙ୍କ ମଧ୍ୟରେ ଥିବା ଭଲପାଇବା, ଶ୍ରଦ୍ଧା, ଅନାବିଳ ପ୍ରେମ, ଅତୁଟ ବିଶ୍ୱାସର ପ୍ରତୀକ । ଯେତେ ଦୁଃଖ, ଝଡ଼ ଝଞ୍ଜା, ବାଧାବିଘ୍ନ, ସମସ୍ୟା ଆସିଲେ ବି ନିଜ ଭଉଣୀର ମାନ ରକ୍ଷା କରିବା, ତାଙ୍କୁ ଯେକୌଣସି ବିପଦରୁ ଉଦ୍ଧାର କରିବା ପ୍ରତ୍ୟେକ ଭାଇର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ।

ଆଶୁତୋଷ ନାୟକ 

 
Leave A Reply

Your email address will not be published.