jayashree

ବଲାଣି ମୌଜାରେ ଇଡକୋ ଜମି ଚିହ୍ନଟ ମାମଲା

  • ପୋଲିସ ଫୋର୍ସ ଉପସ୍ଥିତିରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ଉପଖଣ୍ଡ ଅଞ୍ଚଳରେ ଥିବା ଲାଠିକଟା ତହସିଲ ଅଧୀନରେ ବଲାଣି ଗ୍ରାମ ପଞ୍ଚାୟତର ବଲାଣି ମୌଜାରେ ଥିବା ଖାତା ନମ୍ବର-୧୧୯/୨୧୩ ପ୍ଲଟ ନମ୍ବର-୨ରେ ଥିବା ପ୍ରାୟ ୨୧.୩୫ ଏକର ପତିତ ଜମିକୁ ପ୍ରଥମେ ଇଡ଼କୋ ନେବାପରେ କାରଖାନା କରିବା ପାଇଁ ଏନଭିକେୟାର ଇନଫ୍ରାସାଲୁସନ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଘରୋଇ କମ୍ପାନୀକୁ ଦେଇଥିଲା । ତେବେ ଗ୍ରାମାଞ୍ଚଳରେ ଥିବା ଏହି ଜମିରେ ଶିଳ୍ପ ସ୍ଥାପନା କରିବା ପୂର୍ବରୁ ରାଜ୍ୟରେ ପ୍ରଚଳିତ ପେସା ଆଇନ ୧୯୯୬ର ଧାରା ୪(୧)ଉଲ୍ଲଙ୍ଘନ ସମେତ ଅନ୍ୟାନ୍ୟ ଯୁକ୍ତି ଦର୍ଶାଇ ଗ୍ରାମବାସୀମାନେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ କେସ୍‌ ଦାଏର କରିଥିଲେ । ଯାହାର ବିଚାର ଚାଲିଥିବା ବେଳେ କମ୍ପାନୀ ଦ୍ୱାରା ଦାଖଲ ଏକ ଆବେଦନର ବିଚାର କରି ଏକ ସିଙ୍ଗଲ ବେଞ୍ଚ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଉଚିତ ମାନି ଜମି ଚିହ୍ନଟ ପାଇଁ ଆଦେଶ ଦେଇଥିଲେ । ଏହି ଆଦେଶକୁ ବିରୋଧ କରି ଗ୍ରାମବାସୀଙ୍କ ପକ୍ଷରୁ ଜୈନିକ ଶଶୀ ତିର୍କୀ ପୁନଃ ଉଚ୍ଚ ନ୍ୟାୟାଳୟରେ ଏକ ରିଟ ପିଟିସନ ଦାଏର କରିଥିଲେ । ଯାହାର ବିଚାର କରି ଉଚ୍ଚ ନ୍ୟାୟାଳୟର ଡବଲ ବେଞ୍ଚ ଗତ ୨୭/୨/୨୬ରେ ପୂର୍ବରୁ ସିଙ୍ଗଲ ବେଞ୍ଚ ଦେଇଥିବା ଆଦେଶକୁ ବେଆଇନ କହି ଖାରଜ କରି ଦେଇଥିଲେ । ଯାହାର ବିଚାର ଆଜି ମଧ୍ୟ ଉକ୍ତ ଡବଲ ବେଞ୍ଚରେ ଚାଲୁଅଛି । ତେବେ ଇତି ମଧ୍ୟରେ ସମ୍ପୃକ୍ତ ଘରୋଇ ସଂସ୍ଥା ନୂତନ ଭାବେ ସେଇ ଉଚ୍ଚ ନ୍ୟାୟାଳୟର ଏକ ସିଙ୍ଗଲ ବେଞ୍ଚ ସମ୍ମୁଖରେ ପୁନଃ ସେଇ ଜମିର ମାପଚୁପ ପାଇଁ ଆବେଦନ କରିଥିଲେ । ଯାହାର ଶୁଣାଣି କରି ମାନ୍ୟବର ସିଙ୍ଗଲ ବେଞ୍ଚ ବିଚାରପତି ପୁନଃ ଜମି ଅଧିଗ୍ରହଣ ପ୍ରକ୍ରିୟାଜୁ ଆଇନ ସମ୍ମତ ବୋଲି ବିଚାର କରି ଏହାର ଚିହ୍ନଟ ପାଇଁ ଆଦେଶ ଦେଇଥିଲେ । ସିଙ୍ଗଲ ବେଞ୍ଚର ଏହି ଆଦେଶ ବଳରେ ଆଜି ଲାଠିକଟା ତହସିଲ ପକ୍ଷରୁ ପ୍ରାୟ ୬ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଡବଲ ବେଞ୍ଚର ଆଦେଶ ପରେ ପୁନଃ ସେହି ଜମିକୁ ନେଇ ସିଙ୍ଗଲ ବେଞ୍ଚର ଆଦେଶନାମା ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତେବେ ଏହା ନ୍ୟାୟପାଳିକାର ସମୀକ୍ଷା କରିବାର ବିଷୟ । କିନ୍ତୁ ଗୋଟିଏ ଜମି ଚିହ୍ନଟ/ମାପଚୁପ ପ୍ରକ୍ରିୟା ପୂର୍ବରୁ ସମ୍ପୃକ୍ତ ଜମିର ଚତୁଃପାଶ୍ୱର୍ରେ ଥିବା ଜମିର ମାଲିକ ମାନଙ୍କୁ ନୋଟିସ ଦେଇ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଅନ୍ତତଃ ପକ୍ଷେ ସାତଦିନ ସମୟ ଦେବା କଥା । କାରଣ ଏତିକି ସମୟ ମଧ୍ୟରେ ଯଦି କେହି ଏହି ଜମିକୁ ନେଇ କିମ୍ବା ଏହି ଜମି ଉପରେ ହେବାକୁ ଥିବା ଶିଳ୍ପ ବିରୁଦ୍ଧରେ କିଛି ଲିଖିତ ଭାବେ ଦେବାଜୁ ଚାହିଁବେ ତେବେ ଦେଇପାରିବେ । ତେବେ ଏ କ୍ଷେତ୍ରରେ ଲାଠିକଟା ତହସିଲ କର୍ତ୍ତୃପକ୍ଷ ତତ୍ପରତା ଦେଖାଇ ଗତ ୧୯/୮/୨୬ରିଖ ଦିନ ଜମି ଚିହ୍ନଟ ପାଇଁ ନୋଟିସ ଜାରି କରିଥିବା ବେଳେ ୨୧/୮/୨୬ରେ ଜମି ଚିହ୍ନଟ ପାଇଁ ଦିନ ଧାର୍ଯ୍ୟ କରିଥିଲେ । ଅର୍ଥାତ ନୋଟିସ ଜାରି କରିବାର ମାତ୍ର ୪୮ଘଣ୍ଟା ମଧ୍ୟରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ । କ’ଣ ପାଇଁ ଏକ ଘରୋଇ କମ୍ପାନୀର ଜମି ଚିହ୍ନଟ ପାଇଁ ଏତେ ତତ୍ପରତା ତାହା ଆଜି ପ୍ରଶ୍ନବାଚୀ । କାରଣ ୧୯ରେ ନୋଟିସ ଜାରି, ୨୦ରେ ନୋଟିସ ପାଇବା, ୨୧ରେ ଜମି ଚିହ୍ନଟ ପ୍ରକ୍ରିୟା, ଯଦି କେହି ବିରୋଧ କରିବେ ତ’ କେବେ ଏବଂ କିପରି କରିବେ କାରଣ ୨୧, ୨୨, କୋର୍ଟ ବନ୍ଦ, ୨୩ ରବିବାର ୨୪ ସୋମବାରରେ ପ୍ରତିବାଦ ଦାଖଲ କଲେ ଯଦି ଏହା ଗ୍ରହଣ ହୁଏ ତେବେ କୋର୍ଟର ଆଦେଶ ପାଉ ପାଉ ଆଉ ଦୁଇ ଦିନ ଲାଗିଯିବ । ଇତି ମଧ୍ୟରେ ଜମି ଚିହ୍ନଟ ସହିତ ଜମି ଘରୋଇ କମ୍ପାନୀର ଦଖଲରେ ହୋଇଯିବ । ଏ ସମସ୍ତ ଘଟନାକୁ ତର୍ଜମା କଲେ ଏକଥା ସ୍ପଷ୍ଟ ଯେ, ଜମି କିଣା-ବିକା ଠାରୁ ଆରମ୍ଭ କରି ଚିହ୍ନଟ ପାଇଁ ନୋଟିସ ଜାରି କରିବାରେ ତହସିଲର ତତ୍ପରତା ଏକ ବଡ଼ ଷଡଯନ୍ତ୍ର ସଦୃଶ । ଯାହାର ତଦନ୍ତ ହେବା ନିତ୍ୟାନ୍ତ ଆବଶ୍ୟକ ।

Leave A Reply

Your email address will not be published.