
ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ରହିଥିବା ବେଳେ ଏଠାକାର ଭୌଗୋଳିକ ସ୍ଥିତି ଅନୁସାରେ ଅଧିକାଂଶ ଗାଁ ଗହଳି ଗୁଡିକ ଦୁର୍ଗମ ଓ ପାହାଡିଆ ଭିତରେ ଲୁଚି ରହିଛି । ମାଓବାଦୀଙ୍କ ଗତିବିଧି ବଢିଥିବା ସମୟରେ ଏହି ଅଞ୍ଚଳରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବାରୁ ଅଧିକାଂଶ ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଚଢାଉ କରି ଚାଷ ନଷ୍ଟ କରିଥିବା ନଜରରେ ଆସିଛି । ଏହାକୁ ରୋକିବା ପାଇଁ ଏବେ ପୋଲିସ ପ୍ରଶାସନ ତରଫରୁ ଏକ ସଚେତନତା ଶିବିର ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀଙ୍କ ସହିତ ବନବିଭାଗ, ଅବକାରୀ ବିଭାଗ, ରାଜସ୍ତ୍ର ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣ ମାନଙ୍କୁ ସଚେତନ କରିଥିଲେ । ଚିପାକୁର ପଞ୍ଚାୟତ ସହିତ ଦଣ୍ଡାବାଡି, କାଠପଡା, ରାମଗିରି ଅଞ୍ଚଳର ଶତାଧିକ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ । ଅତିଥିମାନେ ନିଜ ଅଭିଭାଷଣ ମାଧ୍ୟମରେ କହିଥିଲେ ଯେ, ଦିନକୁଦିନ ଗଞ୍ଜେଇ ଚାଷ ବ୍ଲକ ଅଞ୍ଚଳରେ ବୃଦ୍ଧି ପାଉଛି । ଗଞ୍ଜେଇ ଚୋରା ଚାଲାଣରେ ଯୁବ ବର୍ଗ ସାମିଲ ହୋଇ ଜେଲ ଦଣ୍ଡ ଭୋଗୁଛନ୍ତି । ନିଶା କାରବାର ଯୋଗୁଁ ଦୁର୍ଘଟଣା ବଢୁଛି । ପ୍ରଚୁର ପରିମାଣରେ ଗଞ୍ଜେଇ ଚାଷ ହେଉଥିବା ଯୋଗୁଁ ଅପରାଧ ମଧ୍ୟ ବୃଦ୍ଧି ପାଉଛି । ତେଣୁ ଗାଁ ଗାଁରେ ସଚେତନତା ଶିବିର କରି ଗଞ୍ଜେଇ ଚାଷ ରୋକିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି । ଗଞ୍ଜେଇ ଚାଷ ଛାଡି ଅନ୍ୟ ଚାଷ କରିବା ପାଇଁ ଚାଷୀମାନଙ୍କୁ ଆହ୍ୱାନ କରିଛନ୍ତି । ଗାଁଗହଳିର ଲୋକେ ମାନେ ଗଞ୍ଜେଇ ଚାଷ ଆରମ୍ଭ କରିଥିବା ବେଳେ ଯେପରି ଆଉ ଲୋକେ ଗଞ୍ଜେଇ ଚାଷ ନ କରିବେ ସେଥି ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ଏବେ ସଚେତନତା କାର୍ଯ୍ୟକ୍ରମ ଚିପାକୁର ଠାରୁ ଆରମ୍ଭ କରାଯାଇଥିବା ଜଣାପଡିଛି ।