
- ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ
- ୧୫ ଦିନରେ ସ୍ପଷ୍ଟୀକରଣ ନ ରଖିଲେ ଆନ୍ଦୋଳନ
- ଦାଇତ୍ୱ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ଦାଇତ୍ୱରେଥିବା ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଶୁକ୍ରବାର କଣ୍ଟାବାଞ୍ଜି ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ ସଭାପତି ଅନିଲ୍ ବିଭାରଙ୍କ ନେତୃତ୍ୱରେ କମିଟି ସଦସ୍ୟମାନେ ଏକତ୍ରିତ ହୋଇ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟକୁ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ଉଲ୍ଲେଖ ଯେ, ଗତ କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ସହରର ବିଭିନ୍ନ ବାଳିକା ବିଦ୍ୟାଳୟ ଏବଂ ଥାନା ଛକ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସରକାରୀ ରାଜକୋଷରୁ ଖର୍ଚ୍ଚ କରି ସ୍ୱାଧୀନତା ଦିବସର ଶୁଭେଚ୍ଛା ହୋଡିଙ୍ଗ ଲଗାଯାଇଥିଲା । ଲାଗିଥିବା ହୋଡିଙ୍ଗରେ ଅନେକ ସ୍ଵାଧୀନତା ସଂଗ୍ରାମୀଙ୍କ ଫଟୋ ଚିତ୍ର ରହିଥିବା ବେଳେ ଭାରତର ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଫଟୋ ଚିତ୍ର ନ ରହିଥିବା ଘୋର୍ ଅପମାନ ଅଟେ । ଡକ୍ଟର ବି.ଆର୍. ଆମ୍ବେଦକର କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି, ସେ ହେଉଛନ୍ତି ଭାରତର ସମ୍ବିଧାନର ମୁଖ୍ୟ ରଚୟିତା । ତାଙ୍କ ଦେଇଥିବା ସମ୍ବିଧାନ ଆଧାରରେ ହିଁ ଆଜି ଆମେ ସ୍ୱାଧୀନ ଭାରତରେ ବଞ୍ଚୁଛୁ । ସ୍ୱାଧୀନତା ଦିବସର ସରକାରୀ ହୋଡିଙ୍ଗରୁ ତାଙ୍କୁ ବାଦ୍ ଦେବା ଅର୍ଥ ସମ୍ବିଧାନ ଓ ସାମାଜିକ ନ୍ୟାୟର ଅପମାନ କରାଯାଇଛି । ଯେଉଁ ସମ୍ବିଧାନ ଆମକୁ ସ୍ୱାଧୀନତାର ଅର୍ଥ ବୁଝାଇଲା, ତାର ମୁଖ୍ୟ ଶିଳ୍ପୀଙ୍କୁ ଭୁଲିବା କୌଣସି ଭାବେ ଗ୍ରହଣୀୟ ନୁହେଁ । ୧-ସ୍ୱାଧୀନତା ଦିବସର ସରକାରୀ ଶୁଭେଚ୍ଛା ହୋଡିଙ୍ଗରେ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଫଟୋ ଚିତ୍ର ନ ଲଗାଇ ଅପମାନ କରାଯାଇଛି । ତେଣୁ ଦାଇତ୍ୱରେଥିବା କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆମ୍ବେଦକରଙ୍କୁ ଅପମାନ କରିଥିବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଉ । ୨- କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ରେଲୱେ ଖେଳପଡିଆ ଠାରେ ପାଳନ କରାଯାଇଥିବା ବେଳେ ସେଠାରେ ଲାଗିଥିବା ତ୍ରିରଙ୍ଗା ପତାକାର ବେନର ରଙ୍ଗକୁ ବଦଳାଇ ଅସମ୍ମାନ କରାଯାଇଛି । ତେଣୁ ଜାତୀୟ ରଙ୍ଗକୁ ବଦଳାଇ ଅସମ୍ମାନ କରିଥିବା ଦାଇତ୍ୱରେଥିବା କର୍ମଚାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ୩- କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟକୁ ଲାଗି କି ରହିଥିବା ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରହିଥିବା ବେଳେ ତାହା ମଧ୍ୟ ଅବହେଳିତ ରହିଯାଇଛି, ତେଣୁ ତୁରନ୍ତ ମୂର୍ତ୍ତି ରକ୍ଷଣାବେକ୍ଷଣ କରାଯାଉ ନଚେତ ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ । ୪- କଣ୍ଟାବାଞ୍ଜି ସହରରେ ଥିବା ସମସ୍ତ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତ୍ତିକୁ ଠିକ୍ ଭାବେ ରକ୍ଷଣାବେକ୍ଷଣ କରିବା ସହ କଣ୍ଟାବାଞ୍ଜିର ଇନ୍ଦିରା ଛକ ଠାରେ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦାବି କରାଯାଇଛି । ଯଦି ଦାବିଗୁଡିକ ଉପରେ ପ୍ରଶାସନ ୧୫ ଦିନ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ କମିଟି ପକ୍ଷରୁ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଖୋଲା ଚେତାବନୀ ଦିଆଯାଇଛି । ଏହାର ଏକକିତା ନକଲ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓଡ଼ିଶା ସରକାର, ବଲାଙ୍ଗିର ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ନଗରପାଳ ବିଜ୍ଞାପିତ ଅଞ୍ଚଳ ପରିଷଦ କଣ୍ଟାବାଞ୍ଜି, ପ୍ରକଳ୍ପ ନିର୍ଦ୍ଦେଶକ ଡୁଡା ବଲାଙ୍ଗିର ଜିଲ୍ଲା, ଗୃହ ଓ ନଗର ଉନ୍ନୟନ ବିଭାଗ ମଧ୍ୟ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ କରିବା ସମୟରେ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ସମ୍ପାଦକ ରୋହନ କୁମାର ମହତ, ଉପ ସଭାପତି ତୁଳସୀ ରାମ ଜଗତ, ସଦସ୍ୟ ଅନିଲ୍ ମିପକା, ମୋହନ ସୁନା, ରେସବ ମାହାନନ୍ଦ, ଜିତେନ୍ଦ୍ର ସୁନା, ସୋଭରାଜ ସିଂ ମାଝି, ପ୍ରେମ ମହତ, ଅଜୟ ତାଣ୍ଡି, ଗୋକୁଳ ସୁତନାମୀ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।