
ନୂଆପଡା, (କେପିଏନ୍ଏସ୍) : ସ୍କୁଲ ଆଗରେ ଗର୍ଜିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଗାଁ ସ୍କୁଲରେ ଉଚ୍ଚ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କରିବାକୁ କଲେ ଦାବୀ । ସୂଚନା ଅନୁସାରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କାପସି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ୱୀକୃତି ପ୍ରତ୍ୟାହାର ଯୋଗୁଁ ସ୍କୁଲ ବନ୍ଦ ହେବାରୁ ପାଠପଢା ଠପ ହେବା ଯୋଗୁଁ ଗାଁରେ ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଆଜିକୁ ପ୍ରାୟ ଦଶ ଦିନରୁ ଉର୍ଦ୍ଧ୍ୱ ହେଲା ସ୍କୁଲ ବନ୍ଦ ହେବା ଯୋଗୁଁ ଛାତ୍ରଛାତ୍ରୀ ମାନେ ଖେଳକୁଦରେ ଗାଁ ଦାଣ୍ଡରେ ଦିନ କାଟୁଛନ୍ତି । ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର କାର୍ଯ୍ୟକାରୀ କରାଯାଉ ନହେଲେ କାପସି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ସହ ବନ୍ଦ ହୋଇଥିବା ସ୍କୁଲର ଷଷ୍ଠ ଏବଂ ସପ୍ତମ ଶ୍ରେଣୀକୁ ମିଶାଇ ଶୀଘ୍ର ଶିକ୍ଷାଦାନ ଚାଲୁ କରାଯାଉ ବୋଲି ଗାଁଲୋକେ ଦାବୀ କରିଛନ୍ତି । କାପସୀ ଗାଁର ପଦରଭଟା ପ୍ରାଥମିକ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ସିନାପାଲି ମେହେରପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ହେଲେ ଚାରି କି.ମି. ବାଟ ଯିବାକୁ ପଡୁଛି । ତେଣୁ କାପସି ଗାଁର ଛାତ୍ରଛାତ୍ରୀଙ୍କୁ ଗାଁର ବିଦ୍ୟାଳୟରେ ହିଁ ସ୍ଥାୟୀ ଭାବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ାର ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଗାଁ ଲୋକେ ଦାବୀ କରିଛନ୍ତି । ତେବେ ପ୍ରଶାସନ ଦାବୀ ନ ଶୁଣିଲେ କିଛି ଦିନ ଭିତରେ ବିରାଟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗାଁ ଲୋକେ ।