
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ଏବଂ କର୍ମଚାରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ବାସଭବନ ମରାମତି ତଥା ରକ୍ଷଣାବେକ୍ଷଣ ନାମରେ ଗତ ୨୦୨୨-୨୩ ରୁ ୨୦୨୫-୨୬ ଅର୍ଥାତ୍ ଚାରିବର୍ଷ ମଧ୍ୟରେ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି । ୨୦୨୨-୨୩ ବର୍ଷରେ ବିଡ଼ିଓଙ୍କ ସରକାରୀ ବାସଭବନ ମରାମତି ପାଇଁ ୮ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏଥି ସହିତ ବଦଳି ଜନିତ ଚର୍ଚ୍ଚାରେ ଥିବା ବ୍ଲକର କିରାଣୀ ସୌମ୍ୟରଞ୍ଜନ ମହାକୁରଙ୍କ ନାଁରେ ଆଲଟ ହୋଇଥିବା କ୍ୱାର୍ଟର ନଂ-ଆର୍ଡି ୦୩ ମରାମତି ପାଇଁ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୨୦୨୩-୨୪ ବର୍ଷରେ ବ୍ଲକ କର୍ମଚାରୀ ରାଜେଶ ବେହେରାଙ୍କୁ ମିଳିଥିବା ଆବାସିକ କୋଠାଘର ନଂ-୧ ଓ ସୌମ୍ୟରଞ୍ଜନ ସାହୁଙ୍କ କ୍ୱାର୍ଟର ନଂ-୨ର ମରାମତି ପାଇଁ ୧୮ ଲକ୍ଷ ଏବଂ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ୫ ଗୋଟି ସରକାରୀ ବାସଭବନ ମରାମତି ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏଥିସହିତ ବିଡ଼ିଓଙ୍କ ସରକାରୀ କାର୍ଯ୍ୟାଳୟ ମରାମତି ପାଇଁ ୪ ଲକ୍ଷ, ସହକାରୀ ଯନ୍ତ୍ରୀଙ୍କ ଅଫିସ ମରାମତି ପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେହିବର୍ଷ ପୁଣି ନୂତନ ବ୍ଲକ ସଭାଗୃହ ପାଇଁ ୧୦ ଲକ୍ଷ, ସଭାଗୃହର ଟେବୁଲ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୧୦ ଲକ୍ଷ, ବିଦ୍ୟୁତ୍ ସଂଯୋଗ, ସାଉଣ୍ଡ ତଥା ଭିଡିଓ ସିଷ୍ଟମ ପାଇଁ ୧୦ ଲକ୍ଷକୁ ମିଶାଇ କେବଳ ବ୍ଲକର ସମ୍ମିଳନୀ କକ୍ଷରେ ୩୦ ଲକ୍ଷ ଖର୍ଚ୍ଚ ହୋଇଛି । ସେହିପରି ୨୦୨୫-୨୬ ରେ ବ୍ଲକ କର୍ମଚାରୀଙ୍କ ବାସଭବନ ଗୁଡ଼ିକର ମରାମତି ସକାଶେ ୧୦ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ବିଦ୍ୟୁତ୍ ସରଞ୍ଜାମ ମରାମତି ତଥା ସଂଯୋଗ ପାଇଁ ୬ ଲକ୍ଷ, ସଭାଗୃହର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୪ ଲକ୍ଷ ତଥା ବ୍ଲକ ପରିସରରେ ଅତିରିକ୍ତ ଅଫିସ ବିଲ୍ଡିଂ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି । ବ୍ଲକ କର୍ମଚାରୀଙ୍କ ସରକାରୀ ବାସଭବନ ମରାମତିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅଧିକାଂଶ କର୍ମଚାରୀ ବ୍ଲକ ମୁଖ୍ୟାଳୟରେ ନ ରହି ବଲାଙ୍ଗିରରୁ ଯିବା ଆସିବା କରୁଛନ୍ତି । ଏପରିକି ବାରମ୍ବାର ମରାମତି ତଥା ରକ୍ଷଣାବେକ୍ଷଣା ହେଉଥିବା ସତ୍ୱେ ଅଧିକାଂଶ ବାସଭବନ ରହିବା ଉପଯୋଗୀ ନୁହେଁ ବୋଲି ଜଣାଯାଇଛି । ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।