
- ଶତାଧିକ ବରଗଛ, ପିପଳ ସମେତ ଦେଶୀ ଓ ଔଷଧୀୟ ବୃକ୍ଷରୋପଣ; ସୁରକ୍ଷା ପାଇଁ ସଙ୍କଳ୍ପ
ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ପରିବେଶ ସୁରକ୍ଷା ଓ ବୃକ୍ଷ ସଂରକ୍ଷଣର ବାର୍ତ୍ତା ନେଇ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଗଡ଼ା ଗ୍ରାମରେ ବନମହୋତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଅବସରରେ ସଂଗଠନର ସଦସ୍ୟମାନେ ପରିବେଶ ସଚେତନତାମୂଳକ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ପରେ ଗ୍ରାମର ଆରାଧ୍ୟ ଦେବସ୍ଥଳୀ ବୁଢ଼ୀ ମାଉଳି ପୀଠ ଏବଂ ଏହାର ଆଖପାଖ ଖୋଲା ସ୍ଥାନରେ ଶତାଧିକ ବରଗଛ, ପିପଳ ସମେତ ବିଭିନ୍ନ ଦେଶୀ ବୃକ୍ଷ ଓ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । କେବଳ ବୃକ୍ଷରୋପଣରେ ସୀମିତ ନରହି ରୋପିତ ବୃକ୍ଷଗୁଡ଼ିକର ନିୟମିତ ଯତ୍ନ ଓ ସୁରକ୍ଷା ପାଇଁ ଉପସ୍ଥିତ ସମସ୍ତେ ସଙ୍କଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରୀନ୍ ଇଗଲ୍ ଆର୍ମିର ପ୍ରମୁଖ ସଦସ୍ୟ ଦିଲୀପ ଭୁଏ, ଜୟରାମ କୁଅଁର, ରଞ୍ଜନ କୁଅଁର, ଓଁକାର ସାହୁ, ବିକାଶ କୁଅଁର, ପଦ୍ମନାଭ ସାହୁ ଓ ପୀତାମ୍ବର ସାହୁ ପରିଚାଳନା ଓ ସହଯୋଗ କରିଥିଲେ । ଗ୍ରାମର ବହୁ ପ୍ରକୃତିପ୍ରେମୀ ପୁରୁଷ ଓ ମହିଳା ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ପ୍ରକାଶଥାଉ କି, ପରିବେଶ ସୁରକ୍ଷା ଓ ବୃକ୍ଷ ସଂରକ୍ଷଣ କ୍ଷେତ୍ରରେ ଗ୍ରୀନ୍ ଇଗଲ୍ ଆର୍ମି ଦୀର୍ଘ ପ୍ରାୟ ୧୫ ବର୍ଷ ଧରି ସକ୍ରିୟ ଭାବେ କାର୍ଯ୍ୟ କରିଆସୁଛି । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ସମେତ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ସଂଗଠନ ପକ୍ଷରୁ ବିଶେଷକରି ବରଗଛ ରୋପଣ ଓ ସୁରକ୍ଷା ଅଭିଯାନ ଚାଲିଆସୁଛି । ବରଗଛ ରୋପଣ ଓ ତାହାର ଯତ୍ନ ନେଇ ସୁରକ୍ଷା କରୁଥିବା ପ୍ରକୃତିପ୍ରେମୀମାନଙ୍କୁ ‘ବଟମିତ୍ର ସମ୍ମାନ’ ପ୍ରଦାନ କରି ସଂଗଠନ ବୃକ୍ଷ ସଂରକ୍ଷଣକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ପ୍ରୟାସ କରୁଛି । ଏହି ଅଭିଯାନ ବୁଦ୍ଧିଜୀବୀ ଓ ପ୍ରକୃତିପ୍ରେମୀ ମହଲରେ ପ୍ରଶଂସିତ ହୋଇଆସୁଛି ।