
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ ଟିଟିଲାଗଡ ସହରର ଅଗ୍ରଣୀ ବ୍ୟବସାୟିକ ସଂଗଠନ ଟିଟିଲାଗଡ ବଣିକ ସଂଘ ପକ୍ଷରୁ ମଧ୍ୟ ଧୁମଧାମରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ବଣିକ ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋଏଲଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ସଦସ୍ୟଙ୍କୁ ପ୍ରଥମେ ଜାତୀୟ ପତାକା ବ୍ୟାଚ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ପରେ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋଏଲ ଉପସ୍ଥିତ ସଦସ୍ୟମାନଙ୍କ ପୁଅମାନଙ୍କ ସହ ମିଶି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସମସ୍ତେ ମିଳି ଜାତୀୟ ସଙ୍ଗୀତ ଗାନ କରିବା ସହ ‘ବନ୍ଦେ ମାତରମ୍’ ଗାନ କରି ଦେଶପ୍ରେମର ଭାବନାକୁ ଉଜ୍ଜୀବିତ କରିଥିଲେ । ଏହି ଅବସରରେ ସଭାପତି ଶମ୍ଭୁ ପ୍ରସାଦ ଗୋଏଲ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ସମସ୍ତେ ମିଳିମିଶି ରହିବା ଆବଶ୍ୟକ ବୋଲି କହିଥିଲେ । ଦେଶର ଆର୍ଥିକ ଓ ସାମାଜିକ ବିକାଶରେ ବ୍ୟବସାୟୀ ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସଂଘର ସମସ୍ତ ସଦସ୍ୟଙ୍କୁ ପ୍ରାଥମିକତା ଦେବା ସହ ସେମାନଙ୍କ ସୁଖଦୁଃଖରେ ସହଯୋଗ କରିବା ପାଇଁ ସେ ସର୍ବଦା ପ୍ରସ୍ତୁତ ଥିବା କହିଥିଲେ । ସ୍ୱାଧୀନତା ଦିବସ ଅବସରରେ ବଣିକ ସଂଘ ପକ୍ଷରୁ ଉପସ୍ଥିତ ସଦସ୍ୟମାନଙ୍କୁ ପିଇବା ପାଣି ବୋତଲ ମଧ୍ୟ ଉପହାର ଭାବେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଗୋପାଳ ଜୈନ, ଉପସଭାପତି ସଞ୍ଜୟ ସୋନି, ସହସମ୍ପାଦକ ଅମନ ଗୋଏଲ, କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ଶର୍ମା, ବିହାରୀ ଲାଲ ଅଗ୍ରୱାଲ, ବଜରଙ୍ଗ ଲାଲ ଅଗ୍ରୱାଲ, ଆଶିଷ ଅଗ୍ରୱାଲ, ସଞ୍ଜୟ କୁମାର ନାୟକ, ଦିଲିପ ପୋପଟଙ୍କ ସମେତ ଦୀପକ ପୃଷ୍ଟି, ପ୍ରକାଶ ଅଗ୍ରୱାଲ, ବଣ୍ଟି ଅଗ୍ରୱାଲ, ଆନନ୍ଦ ଖଇତାନ, ସୁଶିଲ କନୋଡିଆ, ପଙ୍କଜ ଅଗ୍ରୱାଲ, ଅମିତ ଜୈନ, ଶ୍ରୀ ମିତ୍ତଲ ଓ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ ।