
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଲକ ତରଫରୁ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବାବୁପାଲି ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ମହତ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମନ୍ଦିର ପରିସରରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଯୁବକ ଓ ଅଞ୍ଚଳବାସୀ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ । ଏହି ଶିବିରରୁ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହା ସହିତ ପରିବେଶ ସନ୍ତୁଳନ ଓ ସବୁଜିମା ସୃଷ୍ଟି କରିବା ଲକ୍ଷ୍ୟରେ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ କିସମର ଫଳଦାୟୀ ଓ ଛାୟାପ୍ରଦ ବୃକ୍ଷରୋପଣ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଫାଉଣ୍ଡେସନ ତରଫରୁ ଏଭଳି ସାମାଜିକ ସେବା ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।