
ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳ ହାତରେ ବନ୍ଦା ପକେଇ ଦେଇଥିବାରୁ ପ୍ରଥମେ ଏହି ସଂଘକୁ ମୁକୁଳାଇବାକୁ ପଡିବ ବୋଲି ବରଗଡ଼ର ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ନୃସିଂହନାଥ ସ୍ଥିତ ଆଇଓସିଏଲ୍ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସଭାରେ କେନ୍ଦୁପତ୍ର ସଂଘର ସଦସ୍ୟ ମାନଙ୍କୁ ଆହ୍ଵାନ ଦେଇଛନ୍ତି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଖରିଆର କେନ୍ଦୁପତ୍ର ଡିଭିଜନ ସଂପାଦକ ଯଦୁମଣି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରେଢ଼ାଖୋଲ, ବଲାଙ୍ଗିର, ପାଟଣାଗଡ, ଟିଟିଲାଗଡ଼, ଅନୁଗୁଳ, ଭବାନୀପାଟଣା, ଖରିଆର ଓ ପଦ୍ମପୁର କେନ୍ଦୁପତ୍ର ଡିଭିଜନ ବହୁ ସଂଖ୍ୟାରେ ଶ୍ରମିକ ନେତାମାନେ ଯୋଗ ଦେଇଥିଲେ । ସର୍ବପ୍ରଥମେ କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରତିଷ୍ଠାତା ସ୍ଵର୍ଗତ ବିଶ୍ୱବନାଥ ପଣ୍ଡିତଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ କେନ୍ଦୁପତ୍ର ସଂଘର ସଦସ୍ୟ ଥିବା ପ୍ରଦୀପ ପୁରୋହିତ ବରଗଡ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓଡ଼ିଶା ରାଜକୋଷରୁ ୫୦କୋଟି ଟଙ୍କା କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକ, ୱାଚର ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗେଇ ଦେଇଥିବାରୁ ତାଙ୍କୁ ସଭାରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା ଏବଂ କେନ୍ଦୁଲିଫ ଉନ୍ନୟନ ପରିଷଦକୁ ପୁନଃଗଠନ କରି ଏଥିରେ ଯୋଗ୍ୟ ଲୋକମାନଙ୍କୁ ସାମିଲ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସଭା ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳି ମାନଙ୍କର ପତ୍ରଦର ବର୍ଦ୍ଧିତ କରିବା ସିଜିନାଲ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି, ସିଜି ୱାଚର ମାନଙ୍କ ବକେୟା ଥିବା ଦରମା ପ୍ରଦାନ, ଖାଲିଥିବା ପଦ ପଦବୀ ପୂରଣ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ବୟସ ସୀମା ୬୨ ବର୍ଷରୁ ୬୫ ବର୍ଷ କରିବା ଆଦି ଦାବି ଉପରେ ବୈଠକରେ ବ୍ୟାପକ ଆଲୋଚନା ତଥା ଚର୍ଚ୍ଚା ହୋଇଥିଲା । ସାଂସଦ ପ୍ରଦୀପ ପୁରୋହିତ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ କେତେ ଜଣ ନେତୃତ୍ୱ ବିଜୁ ଜନତା ଦଳ ହାତରେ ବନ୍ଦା ପକେଇ ଦେଇ ଥିବାରୁ ସର୍ବ ପ୍ରଥମେ ବିଜେଡି ହାତରୁ ସଂଘକୁ ମୁକ୍ତି କରିବା ପାଇଁ ସାଂସଦ ପୁରୋହିତ ବୈଠକରେ ଉପସ୍ଥିତ ସମସ୍ତ ନେତା ମାନଙ୍କୁ ଆହ୍ଵାନ ଦେଇଥିଲେ । ଏବଂ ଆଗାମୀ ସପ୍ତାହରେ କେନ୍ଦୁପତ୍ର ଶ୍ରମିକ ମାନଙ୍କ ସମସ୍ୟା ମାନଙ୍କୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏକ ଖୋଲା ଆଲୋଚନା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ସଭାକାର୍ଯ୍ୟରେ ରେଢ଼ାଖୋଲ ସଂଘର ବରିଷ୍ଠ ନେତା ଅନାଦି ସାହୁ, ରେଢ଼ାଖୋଲ ଡିଭିଜନ ସହ ସମ୍ପାଦକ ବିଦ୍ୟୁତ ତ୍ରିପାଠୀ, ବୌଦ୍ଧ ଡିଭିଜନ ସହ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ଗନ୍ଧମାର୍ଦ୍ଦନ ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟା, ପଦ୍ମପୁର ଡିଭିଜନ ସହ ସମ୍ପାଦକ କୋକିଳ ସାହୁ, ବିନୋଦ ଜେନା, ସୁରେଶ ସାମଲ, ପ୍ରସନ୍ନ ସାହାଣୀ, ଅବଦୁତ ରସିଦ, ସୁରେଶ ବେହେରା, ମଙ୍ଗଳ ସାଏ ବଗର୍ତ୍ତି, ଡୋଲେଶ୍ୱର ପଟେଲ, ଗଣେଶ ପ୍ରଧାନ, ଧନୀରାମ ପାଣ୍ତେ, ଇଶ୍ଵର ଶବର, ସୁରେଶ ପଣ୍ତା, ରୁଷୁଭ ପ୍ରଧାନ, ବଙ୍କମଣି ହୋତା, ଗୋବିନ୍ଦ ପାଣିଗ୍ରାହୀ, କରୁଣ ବାଗ, ବସନ୍ତ ବଗର୍ତ୍ତି, ରେଣୁଧର ବାଙ୍କଙ୍କ ବ୍ୟତୀତ ବହୁ ସଂଖ୍ୟାରେ ସଂଘର ସଦସ୍ୟମାନେ ଯୋଗ ଦେଇଥିଲେ ।

