jayashree

ଏଟିଏମ୍‌ରେ ଆବଶ୍ୟକ ମୁତାବକ ଟଙ୍କା ଯୋଗାଣ ପାଇଁ ବଲାଙ୍ଗିର ନାଗରିକ କମିଟିର ପଦକ୍ଷେପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ପରିଚାଳିତ ଏଟିଏମ୍‌ ମାନଙ୍କରେ ଆବଶ୍ୟକ ମୁତାବକ ଟଙ୍କା ନ ଥିବାରୁ ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ସମସ୍ୟା ଉଣା ଅଧିକେ ତିନି ମାସ ହେବ ଲାଗି ରହିଛି ଓ ଗତ ୧୦ ଦିନ ହେବ ସମସ୍ୟାଟି ଉତ୍କଟ ଅବସ୍ଥା ଧାରଣ କରିଛି । ସମସ୍ୟାର ସମାଧାନ ଦିଗରେ ନାଗରିକ କମିଟିର ସଂପାଦକ ମଧୁସୂଦନ ନାୟକଙ୍କ ନେତୃତ୍ୱରେ କାର୍ଯ୍ୟକାରୀ କମିଟି ସଦସ୍ୟ ଗୋପବନ୍ଧୁ ପୁରୋହିତ, କୋଷାଧ୍ୟକ୍ଷ ତ୍ରିନାଥ ସାହୁ, ସଦସ୍ୟ ରମେଶ ଚନ୍ଦ୍ର ନାଥ, ସଲିମ ଖାନ, ଲଳିତ କୁମାର ବହିଦାର ପ୍ରମୁଖ ନାଗରିକ କମିଟିର ଏକ ପ୍ରତିନିଧି ମଣ୍ଡଳି ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟାଳୟକୁ ଯାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଚିଫ୍‌ ମେନେଜର ସୁରେନ୍ଦ୍ର ମିଶ୍ର ଦର୍ଶାଇଥିଲେ ଆରବିଆଇ ଆବଶ୍ୟକ ମୁତାବକ ଟଙ୍କା ଯୋଗାଇ ଦେଉନାହାନ୍ତି । ପ୍ରତି ସପ୍ତାହରେ ରିକ୍ୟାରମେଣ୍ଟ ଦିଆଯାଉଛି ମାତ୍ର ଆରବିଆଇ ମଧ୍ୟ ଟଙ୍କା ସଟେଜ ଥିବାରୁ ଯୋଗାଣ ହୋଇପାରୁନାହିଁ ବୋଲି ହତାଶବାଣୀ ଦେଉଛି । ଆଶା କରାଯାଏ ଏ ସମସ୍ୟାର ସମାଧାନ ୧୦ ଦିନ ମଧ୍ୟରେ ହୋଇପାରେ । ମାସକୁ ହାରାହାରି ୨୩୦ କୋଟି ଟଙ୍କା ଆବଶ୍ୟକ ଥିବା ବେଳେ ଆମ ପାଖରେ ୨୮ କୋଟି ଟଙ୍କା ରହିଛି । ଗ୍ରାହକମାନଙ୍କୁ ଡିପୋଜିଟ ଉପରେ ଏବେ ବଡ ଭରସା ହୋଇଛି । ଆମେ ଆମର ସାଧ୍ୟ ଏବଂ କ୍ଷମତା ମତେ ପଦକ୍ଷେପ ଗ୍ରହଣ କରିଚାଲିଛୁଁ । ଆପଣମାନେ ବି ଚାହିଁଲେ ପଦକ୍ଷେପ ନେଇପାରନ୍ତି । ନାଗରିକ କମିଟି ବଲାଙ୍ଗିର ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରି ରିଜର୍ଭ ବ୍ୟାଙ୍କ ଇଣ୍ଡିଆକୁ ପତ୍ର ପ୍ରେରଣ କରିଛି ।

Leave A Reply

Your email address will not be published.