
ରାଉରକେଲା, (ସସ୍ମିତା ପ୍ରଧାନ) : ୭୭ତମ ବନ ମହୋତ୍ସବ ଅବସରରେ ଛେଣ୍ଡ କଳିଙ୍ଗବିହାର ସ୍ଥିତ ଉମାଶଙ୍କର ପୀଠ ପରିସରରେ ରାଉରକେଲାର ଅବସରପ୍ରାପ୍ତ ପୋଲିସ ଅଫିସର୍ସ ୱେଲଫେୟାର ଆସୋସିଏସନ ତରଫରୁ ବନମହୋତ୍ସବ ପାଳନ କରାଯାଇଥିଲା । ସଭାପତି ବିଶ୍ୱମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ଓ ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତଙ୍କ ସଂଯୋଜନାରେ ପୀଠ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା । ସାଧାରଣ ସମ୍ପାଦକ ଡ଼କ୍ଟର ଦତ୍ତ ସମସ୍ତଙ୍କୁ ସ୍ୱାଗତ କରି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁରୋଧ କରିଥିଲେ । ଭଞ୍ଜ କଲଚରାଲ ଟ୍ରଷ୍ଟର ସାଧାରଣ ସମ୍ପାଦକ ରାଧାକୃଷ୍ଣ ମହାପାତ୍ର ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ, ଉତ୍ତପ୍ତ ବିଶ୍ୱର ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତିରେ ବୃକ୍ଷରୋପଣ ଏକ ମାତ୍ର ବିକଳ୍ପ ବୋଲି ଆହ୍ୱାନ ଦେବା ସହ ଆସୋସିଏସନର ଏଇଭଳି ଗୁଣାତ୍ମକ ସାମାଜିକ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ପୋଲିସ ଅଫିସର୍ସ ୱେଲଫେୟାର ଆସୋସିଏସନର ଗୟାଧର ବାରିକ, ପ୍ରମୋଦ ବେହେରା, କୀର୍ତ୍ତନ ସାମଲ, ପଞ୍ଚାନନ ବିଶ୍ୱାଳ, ବ୍ରହ୍ମାନନ୍ଦ ମହାନ୍ତି ଓ ଅନ୍ୟମାନେ ଯୋଗ ଦେଇଥିଲା ବେଳେ ମନ୍ଦିର କମିଟିର ରାଜୀବ ଜ୍ୟୋତିଷ, ନବ କୁମାର ଦାସ, ଅନୁପ ଦାସ, ରାଜେନ୍ଦ୍ର ରଥ, ସୁଦାମ ସାହୁ ଓ ମହିଳା ବାହିନୀ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବନବିଭାଗ ତରଫରୁ ବିନାମୂଲ୍ୟରେ ବିଭିନ୍ନ ପ୍ରକାର ଗଛ ଯୋଗାଇ ଦିଆଯିବା ସହ ସହଯୋଗ କରାଯାଇଥିଲା । ଶେଷରେ କାର୍ଯ୍ୟକାରୀ ସଭାପତି ଯଦୁମଣି ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଆସୋସିଏସନ ତରଫରୁ ଆଗାମୀ ଦିନରେ ଆହୁରି ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରକାଶ କରିଥିଲେ ।
