
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଲେଫ୍ରିପଡ଼ା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ପଂଚାୟତ ସମିତି ସଭାକକ୍ଷରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଆଜି ମୋଟ ୬୩ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥି ମଧ୍ୟରୁ ୩୫ ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨୮ଟି ସାମୁହିକ ଅଭିଯୋଗ ରହିଥିଲା । ଏଥି ମଧ୍ୟରୁ ୧୨ଗୋଟି ଅଭିଯୋଗର ତତ୍କ୍ଷଣାତ ସମାଧାନ କରାଯାଇଥିଲା । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଥିିକ ସହାୟତା ପାଇଁ ୧୨ ଜଣ ବ୍ୟକ୍ତି ଆବେଦନ କରିଥିଲେ । ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତାଘାଟ ସମସ୍ୟା, ପେନ୍ସନ୍, ବିଦ୍ୟୁତ୍ ସମସ୍ୟା, ରାସନ୍କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା । ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁରଂଜନ ସାହୁ, ଉପଜିଲ୍ଲାପାଳ ସଦର ତେଜସ୍ଵୀନି ବେହେରା, ସିଡିଏମ୍ଓ ଡାକ୍ତର ସୁରେଶ ଚନ୍ଦ୍ର ମହାନ୍ତି, ଗୋଷ୍ଠି ଉନ୍ନୟନ ଅଧିକାରୀ ଅତସୀ ପରିଡ଼ାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
