
କଟକ, (କେପିଏନ୍ଏସ୍) : କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ହରିଅନ୍ତା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମତ୍ସ ସମ୍ପଦ ବିଭାଗ ପକ୍ଷରୁ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ପଞ୍ଚାୟତର ମହିଳା ଗୋଷ୍ଠୀ ସଦସ୍ୟମାନେ ଯୋଗଦେଇ କିଭଳି ଊନତ ପ୍ରଣାଳୀରେ ପୋଖରୀରେ ମାଛ ଚାଷ କରାଯିବା ସହିତ, ମାଛମାନଙ୍କର ରୋଗ ପ୍ରତିରୋଧକ, ପାଣିକୁ ବିଶୋଧନ କରିବା, ଅତ୍ୟାଧୁନିକ ପ୍ରଣାଳୀରେ କୁଣ୍ଡରେ ମାଛ ଚାଷ କରିବା ଆଦି ବିଷୟରେ ତାଲିମ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବାରଙ୍ଗ ବ୍ଲକ ମତ୍ସ୍ୟ ସମ୍ପଦ ବିଭାଗର ଅତିରିକ୍ତ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମହାପାତ୍ର, କଣ୍ଟାପଡା ମତ୍ସ୍ୟ ସମ୍ପଦ ବିଭାଗର କେ. ସରିତା, ବାରଙ୍ଗର ଜେ. ଏଫ୍ ଟି. ଏ. ଦେବାଶିଷ ମହାଲିକ, ବାରଙ୍ଗ ଜେ. ଏଫ୍. ଟି. ଭବାନୀ ରାଉତ, ପଞ୍ଚାୟତ ସରପଞ୍ଚ ପଦ୍ମିନୀ ପ୍ରଧାନ, ସମିତି ସଭ୍ୟ ବୈକୁଣ୍ଠ ବେହେରା, ନାଏବ ସରପଞ୍ଚ ଶରତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଚାଷ ବାବଦରେ ଉପସ୍ଥିତ ମହିଳା ଗୋଷ୍ଠୀର ସଦସ୍ୟଙ୍କୁ ଅବଗତ କରାଇଥିଲେ । ମତ୍ସ୍ୟ ଅଧିକାରୀ ଉନ୍ନତ ପ୍ରଣାଳୀରେ ମାଛ ଚାଷ କିପରି ହେଉଛି ଓ ମାଛ ମାନଙ୍କର ଯତ୍ନ କିପରି ନେଇହେବ ତାକୁ ଭିଡିଓ ମାଧ୍ୟମରେ ଉପସ୍ଥିତ ଥିବା ସଦସ୍ୟମାନଙ୍କୁ ଦେଖାଇଥିଲେ । ବ୍ଲକସ୍ତରୀୟ ମତ୍ସ୍ୟ ବିଭାଗର ଦାୟିତ୍ୱରେ ଥିବା ଅଧିକାରୀମାନେ ସବୁବେଳେ ସବୁସମୟରେ ଚାଷୀଙ୍କ ପାଖରେ ପହଂଚି ତଦାରଖ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଖପାଖ ଅଞ୍ଚଳର ବହୁ ମାଛଚାଷୀ ଯୋଗଦେଇ ଏହି ତାଲିମ ଶିବିରରେ ତାଲିମ ନେଇଥିଲେ ।
