csstore

ବର୍ଷାଋତୁ ପୂର୍ବରୁ ବାଲି ମାଫିଆ ସକ୍ରିୟ : ବେଧଡକ ଚାଲିଛି ବାଲି ଚାଲାଣ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ସୁକତେଲ ଓ ଅଙ୍ଗନଦୀରେ ବେଆଇନ ବାଲି ଉତ୍ତୋଳନ ଏବଂ ଚାଲାଣ ଦିନକୁ ଦିନ ବଢ଼ୁଥିବା ଅଭିଯୋଗ ଉଠିଛି । ଖଣି ବିଭାଗ ସବୁ ଜାଣି ମଧ୍ୟ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ବାଲି ମାଫିଆମାନେ ନିର୍ଭୟରେ ନଦୀଶଯ୍ୟାରୁ ବାଲି ଉଠାଇ ଚାଲାଣ କରୁଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ । ବର୍ଷା ଆରମ୍ଭ ପୂର୍ବରୁ ଯଥାସମ୍ଭବ ବାଲି ଉତ୍ତୋଳନ କରି ବିଭିନ୍ନ ସ୍ଥାନରେ ହଜାର ହଜାର ଟ୍ରିପ୍ ବାଲି ବେଆଇନ ଭାବେ ଗଚ୍ଛିତ ରଖାଯାଉଛି । ବର୍ଷା ଋତୁରେ ନଦୀରୁ ବାଲି ଉଠାଇବା ସମ୍ଭବ ନ ହେବାରୁ, ସେହି ସମୟରେ ଚଢ଼ା ଦରରେ ବିକ୍ରି କରିବା ଲକ୍ଷ୍ୟରେ ଏହା ମହଜୁଦ କରାଯାଉଥିବା କୁହାଯାଉଛି । ପୋଲିସ ଓ ପ୍ରଶାସନର ନଜରକୁ ଏଡ଼ାଇ ବାଲି ମାଫିଆମାନେ ଦିନରାତି ବାଲି ପରିବହନ ଓ ଗଚ୍ଛିତ କରିବାରେ ବ୍ୟସ୍ତ ଥିବା ବେଳେ, ଏଭଳି ବେଆଇନ କାର୍ଯ୍ୟକଳାପ ଜାରି ରହିଲେ ସୁକତେଲ ଓ ଅଙ୍ଗନଦୀର ପ୍ରାକୃତିକ ଅସ୍ତିତ୍ୱ ବିପଦରେ ପଡ଼ିପାରେ ବୋଲି ପରିବେଶବିଦ୍ ଓ ସ୍ଥାନୀୟ ବାସିନ୍ଦା ଆଶଙ୍କା ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ଆଗଲପୁର ତହସିଲ ଅଧୀନ ଅଙ୍ଗନଦୀର ସାଲେଭଟା, ତେଲେନପାଲି, ମହୁଲପାଲି, ଫଟାମୁଣ୍ଡା, ତେତେଲଗାଁ ଓ ମୁରସୁଣ୍ଡ ସମେତ ଲୋଇସିଂହା ତହସିଲର ସୁକତେଲ ନଦୀର ହୀରାପୁର, କପିଲବାହାଲ, ମାଗୁରବେଡା, ଫାସଡ, କୁଶମେଲ ଓ ଜାମୁଟିଆ ଏବଂ ବଲାଙ୍ଗିର ତହସିଲର ଚନ୍ଦନଭାଟି, ସେମୁଲିଆ ଓ ଖଲିଆପାଲି ବାଲିଘାଟରୁ ପ୍ରତିଦିନ ଶତାଧିକ ଟ୍ରିପ୍ ବାଲି ଚାଲାଣ ହେଉଥିବା ଅଭିଯୋଗ ରହିଛି । ଅଧିକ ଚିନ୍ତାଜନକ ବିଷୟ ହେଉଛି, ବାଲି ପରିବହନକୁ ସହଜ କରିବା ପାଇଁ କେତେକ ସ୍ଥାନରେ ବେଆଇନ ଭାବେ ନଦୀ ମଝିରେ ମୋରମ ପକାଇ ଅସ୍ଥାୟୀ ରାସ୍ତା ତିଆରି କରାଯାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଏଥିସହ ବିନା ରୟାଲଟି, ବିନା ପ୍ରଦୂଷଣ ଅନୁମତିପତ୍ର ଏବଂ ଆବଶ୍ୟକ କାଗଜପତ୍ର ବିନା ବେଧଡକ ଭାବେ ବାଲି ଚାଲାଣ ହେଉଥିବା କୁହାଯାଉଛି । ‘ସ୍ପଟ୍ ଅକ୍ସନ’ ନାମରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି ଗଚ୍ଛିତ ରଖାଯାଉଥିବା ସତ୍ତ୍ୱେ ଖଣି ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେବାରୁ ବାଲି ମାଫିଆଙ୍କ ମନୋବଳ ବଢ଼ୁଥିବା ଅଭିଯୋଗ ହେଉଛି । ଏନେଇ ଜିଲ୍ଲା ଖଣି ଅଧିକାରୀ ରମାକାନ୍ତ ନାଏକଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ଏବଂ ବେଆଇନ କାର୍ଯ୍ୟକଳାପ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ସାଧାରଣ ଲୋକଙ୍କ ଦାବି ହେଉଛି, ଜିଲ୍ଲା ଖଣି ବିଭାଗ ଓ ପୋଲିସ ପ୍ରଶାସନ ମିଳିତ ଭାବେ କଠୋର ଚଢ଼ାଉ କରି ବେଆଇନ ଭାବେ ଗଚ୍ଛିତ ବାଲିକୁ ଜବତ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେ ହିଁ ଏହି ବେଆଇନ ବାଲି କାରବାର ଉପରେ ଅଙ୍କୁଶ ଲାଗିପାରିବ ।

jayashree
Leave A Reply

Your email address will not be published.