
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ମୋଟରୀ ଗ୍ରାମ ପଞ୍ଚାୟତର ପିଏମଶ୍ରୀ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାଶଙ୍କର ସେବାନିବୃତ୍ତି ଉପଲକ୍ଷେ ଆୟୋଜିତ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ସମାପନ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ, ଗ୍ରାମବାସୀ, ବୁଦ୍ଧିଜୀବୀ, ପୁରାତନ ଛାତ୍ରଛାତ୍ରୀ ଶହ ଶହ ସଂଖ୍ୟାରେ ନିଜ ପ୍ରିୟ ଶିକ୍ଷୟିତ୍ରୀଙ୍କ ବିଦାୟୀ ସଭାରେ ଯୋଗଦାନ କରିଥିଲେ । ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଦିଗମ୍ବର ରଥ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷକ ପବିତ୍ର ମୋହନ ଜେନା, ପ୍ରଧାନ ଶିକ୍ଷୟିତ୍ରୀ ଅନନ୍ୟା ସାମଲ, ଆଲୁମିନ କମିଟିର ସଭାପତି ଦୁଷ୍ମନ୍ତ କୁମାର ସାମନ୍ତସିଂହାର, ବରିଷ୍ଠ ଶିକ୍ଷକ ପର୍ଶୁରାମ ଜେନା ମଞ୍ଚାସୀନ ଥିଲେ । ଏଥିରେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ଦାଶ ଅଧ୍ୟକ୍ଷତା କରିଥିବା ବେଳେ ସିଆରସିସି ବସନ୍ତ କୁମାର ସେଠି ମଞ୍ଚ ପରିଚାଳନା କରିଥିଲେ । ଏହା ବ୍ୟତୀତ ବିଦ୍ୟାଳୟର ନୂତନ ଓ ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ନିଜ ବକ୍ତବ୍ୟରେ ଶ୍ରୀମତୀ ଦାଶଙ୍କର ବହୁମୁଖୀ ଗୁଣାବଳୀ ଓ ଅବଦାନକୁ ଉଲ୍ଲେଖ କରିଥିଲେ, ଯାହା ଉପସ୍ଥିତ ଶ୍ରୋତାମଣ୍ଡଳୀଙ୍କୁ ମୁଗ୍ଧ କରିଦେଇଥିଲା । ବିଦାୟୀ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ବିଦାୟକାଳୀନ କବିତା ଓ ସଂଗୀତ ପରିବେଷଣ କରିଥିଲେ । ଗୋପାଳ ଚନ୍ଦ୍ର ମହାପାତ୍ର, ସରୋଜିନୀ ଜେନା ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟ ପକ୍ଷରୁ ଏକ ପତ୍ରିକା ଅଥିତି ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ଲକ୍ଷ୍ମୀପ୍ରିୟା ଦାଶଙ୍କ ଓଡ଼ିଆ ଭାଷା ସାହିତ୍ୟ, ଶିକ୍ଷା, କଳା ସଂସ୍କୃତି ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ପକ୍ଷରୁ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ ସେବାନିବୃତ ଶ୍ରୀମତୀ ଦାଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଶେଷରେ ଶିକ୍ଷୟିତ୍ରୀ ସରିତା କୁମାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
