jayashree

ଭୁଲ ପାଠ୍ୟପୁସ୍ତକ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ସରକାରୀ ବିଦ୍ୟାଳୟ ପାଠ୍ୟପୁସ୍ତକ (ଶ୍ରେଣୀ ୧ ରୁ ୮) ରେ ୨,୧୪୮ ଗୁରୁତର ଭୁଲ ଓ ତଥ୍ୟ ବିକୃତି ଅଭିଯୋଗ କରି ଭାରତ ମୁକ୍ତିମୋର୍ଚ୍ଚା ଓ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା, ଓଡ଼ିଶା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଗଠନର ଅଭିଯୋଗ ଅନୁଯାୟୀ, ଅଷ୍ଟମ ଶ୍ରେଣୀ ଗଣିତ ବହିରେ ଚାଇନାର ମହାପାଚେରୀକୁ ଭାରତର ବୋଲି ଉଲ୍ଲେଖ, ସପ୍ତମ ଶ୍ରେଣୀ ସାହିତ୍ୟ ବହିରେ ‘ଓଡ଼ିଶୀ ନୃତ୍ୟ’ ସ୍ଥାନରେ ଦକ୍ଷିଣ ଭାରତୀୟ ନୃତ୍ୟର ଚିତ୍ର, ନ୍ୟୁଟନଙ୍କୁ ‘ମୁଖ୍ୟ ପାଇଲଟ୍’ ଭାବେ ଉଲ୍ଲେଖ ଓ କୋଣାର୍କ ମନ୍ଦିରକୁ ଝାଡ଼ଖଣ୍ଡରେ ଦର୍ଶାଇବା ଭଳି ଭୁଲ ରହିଛି । ଏହା ଇତିହାସ ଓ ସଂସ୍କୃତିକୁ ବିକୃତ କରୁଛି ବୋଲି ସ୍ମାରକପତ୍ରରେ କୁହାଯାଇଛି । ତେବେ ନୂଆ ଶିକ୍ଷାନୀତି-୨୦ ଆଧାରିତ ସମସ୍ତ ପାଠ୍ୟପୁସ୍ତକ ପ୍ରତ୍ୟାହାର, ଦୋଷୀ ଅଧିକାରୀ ଓ ଓଏସ୍‌ଇପିଏ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା, କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଲାଗୁ ଏବଂ ଓଟିଇଟି, ସିଟି, ବି.ଇଡିର ଯୋଗ୍ୟ ପ୍ରାର୍ଥୀଙ୍କୁ ନେଇ ଦ୍ୱାରା ୬୨,୦୦୦ରୁ ଅଧିକ ଖାଲି ଶିକ୍ଷକ ପଦବୀ ପୂରଣ କରିବା ପାଇଁ ସଙ୍ଘ ଦାବି କରିଛି । ଉକ୍ତ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଭାପତି ସରୋଜ କୁମାର ମେଶ୍ୱା ଚେତାବନୀ ଦେଇଛନ୍ତି । ସ୍ମାରକପତ୍ରର ପ୍ରତିଲିପି ରାଜ୍ୟପାଳ, ଶିକ୍ଷା ବିଭାଗ ଓ ଏନ୍ସିଇଆର୍‌ଟିକୁ ଦିଆଯାଇଛି ।

Leave A Reply

Your email address will not be published.