
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ପବିତ୍ର ରଥଯାତ୍ରା ଓ ବାହୁଡ଼ାଯାତ୍ରା ସୁରୁଖୁରୁ ଏବଂ ଶୃଙ୍ଖଳିତ ପରିଚାଳନା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହିମାଂଶୁ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଆଦି ସମସ୍ତ ନୀତିକାନ୍ତି ଯେପରି ସମୟାନୁବର୍ତ୍ତୀ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସମସ୍ୟାର ସମାଧାନ ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ, ପ୍ରବଳ ଗ୍ରୀଷ୍ମ ଓ ଗହଳିକୁ ଦୃଷ୍ଟିରେ ରଖି ପ୍ରମୁଖ ସ୍ଥାନମାନଙ୍କରେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା, ରଥ ଟଣା ହେବାକୁ ଥିବା ମୁଖ୍ୟ ରାସ୍ତାର ମରାମତି, ରାସ୍ତାଗୁଡ଼ିକରେ ବାଧା ସୃଷ୍ଟି କରୁଥିବା ବିଜୁଳି ତାର, ଟେଲିଫୋନ ତାର ଓ କେବୁଲ ଅପସାରଣ ଏବଂ ସହରର ସମସ୍ତ ଗଳିକନ୍ଦିରେ ଉପଯୁକ୍ତ ଆଲୋକୀକରଣ ଆଦି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସହରକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ପୌରପାଳିକା ପକ୍ଷରୁ ସ୍ୱେଚ୍ଛାସେବୀ ଓ ସଫେଇ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ । ସେହିପରି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଆକସ୍ମିକ ଦୁର୍ଘଟଣା, ଅଗ୍ନିକାଣ୍ଡ ଭଳି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ସମସ୍ତ ପ୍ରସ୍ତୁତି କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପଜିଲ୍ଲାପାଳ ଶ୍ରୀ ପଟେଲ କହିଥିଲେ ଯେ, ରଥଯାତ୍ରାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସମସ୍ତ ବିଭାଗ ପରସ୍ପର ସମନ୍ୱୟ ରକ୍ଷା କରି ଦାୟିତ୍ୱ ସମ୍ପାଦନ କରିବା ଆବଶ୍ୟକ । ଭକ୍ତମାନଙ୍କ ସୁରକ୍ଷା, ସୁବିଧା ଓ ଶାନ୍ତିଶୃଙ୍ଖଳାକୁ ସର୍ବାଧିକ ପ୍ରାଥମିକତା ଦେଇ ପ୍ରତ୍ୟେକ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ ଭାବେ କାର୍ଯ୍ୟକାରୀ କରିବା ପାଇଁ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟମାନେ ନିଜ ନିଜର ମତାମତ ଓ ପରାମର୍ଶ ରଖିଥିଲେ । ଶେଷରେ ଡେପୁଟି କଲେକ୍ଟର ସତ୍ୟଜିତ୍ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
