
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପରିସରରେ ଥିବା ପରିସଂଖ୍ୟାନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଉତ୍ସବରେ ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍ଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କ ସ୍ମୃତି ଚାରଣ କରାଯିବା ସହ ଦୈନନ୍ଦିନ ଜୀବନରେ ପରିସଂଖ୍ୟାନର ଗୁରୁତ୍ୱ ଓ ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହି ସମାରୋହରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ସହାୟକ ପ୍ରଧ୍ୟାପକ ଡଃ. ଗଣପତି ମେଣ୍ଡଲୀ ଏବଂ ପରିସଂଖ୍ୟାନ ବିଭାଗର ପ୍ରାଧ୍ୟାପିକା ଡଃ. ଚକ୍ରଲା ଶ୍ରୀଲତା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ପ୍ରାଥମିକ ତଥ୍ୟ ସଂଗ୍ରହ ବେଳେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ଏହାର ଆଶୁ ସମାଧାନର ସୂତ୍ର ଉପରେ ସେମାନେ ପ୍ରେଜେଣ୍ଟେସନ ମାଧ୍ୟମରେ ତଥ୍ୟଭିତ୍ତିକ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା ଯୋଗଦେଇ କୃଷି ବିଭାଗ ସହ ପରିସଂଖ୍ୟାନର ନିବିଡ଼ ସମ୍ପର୍କ ଉପରେ ଆଲୋକପାତ କରିବା ସହ ତଥ୍ୟ ସଂଗ୍ରହ ବେଳେ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପ-ନିର୍ଦ୍ଦେଶକ ଅଙ୍କିତ କୁମାର ମହାକୁର ଏହି ଦିବସର ତାତ୍ପର୍ଯ୍ୟ ଏବଂ ସହାୟକ ନିର୍ଦ୍ଦେଶକ ସୁନ୍ଦରମୋହନ ଖଣ୍ଡେଇ ପ୍ରଫେସର ମହାଲନୋବିସ୍ଙ୍କ ଜୀବନୀ ଓ ପରିସଂଖ୍ୟାନର ଉପକାରିତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ତର୍କ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହାସହ ଉପସ୍ଥିତ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶେଷରେ ସହାୟକ ନିର୍ଦ୍ଦେଶିକା (ଯୋଜନା) ସୁଶ୍ରୀ ସୋନାଲୀ ସୁଚିସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଷୟବସ୍ତୁ ବିଶେଷଜ୍ଞ ଲଳିତ ରଞ୍ଜନ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଏହି ସଭାରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, ଛାତ୍ରଛାତ୍ରୀ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
