
ବିଶ୍ୱବ୍ୟାପୀ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗିର : ପ୍ରତିବର୍ଷ ଜୁନ୍ ୨୬ ତାରିଖକୁ ବିଶ୍ୱବ୍ୟାପୀ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ଭାବେ ପାଳନ କରାଯାଏ । ସମାଜରୁ ନିଶା ସଂସ୍କୃତିକୁ ଦୂର କରିବା, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ସ୍ଥିତ ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ଉପଲକ୍ଷେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ସେମାନଙ୍କ ମନରେ ସୁସ୍ଥ ଜୀବନଶୈଳୀ ଓ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ଥିଲା

। କାର୍ଯ୍ୟକ୍ରମରେ ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ହୋତାଙ୍କ ସମେତ ଅନେକ ବିଶିଷ୍ଟ ଅତିଥି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। ମଞ୍ଚରେ ବଲାଙ୍ଗିର ସିଭିଲ୍ ଜଜ୍ (ଜୁନିଅର ଡିଭିଜନ) ତଥା ସଚିବ ପବିତ୍ରାନନ୍ଦ ପଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜି. ସି. ମଲ୍ଲିକ ଏବଂ ଜିଲ୍ଲା ନିଶାମୁକ୍ତି କେନ୍ଦ୍ରର ସମାଜସେବୀ ଓ ମନୋରୋଗ ବିଶେଷଜ୍ଞ ଶିବ କର୍ମୀ ଉପସ୍ଥିତ ରହିଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ନୁହେଁ, ବରଂ ପରିବାର, ସମାଜ ଏବଂ ଜାତିର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିଥାଏ। ବିଶେଷକରି ଯୁବପିଢ଼ି ନିଶାଠାରୁ ଦୂରେଇ ଶିକ୍ଷା, ନୈତିକ ମୂଲ୍ୟବୋଧ ଓ ସକାରାତ୍ମକ ଚିନ୍ତାଧାରାକୁ ଆପଣାଇଲେ ଏକ ସୁସ୍ଥ ଓ ସଶକ୍ତ ସମାଜ ଗଠନ ସମ୍ଭବ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଜୀବନ ଗଢ଼ିବା ପାଇଁ ଆହ୍ୱାନ ଜଣାଇଥିଲେ । ସେ କହିଥିଲେ ଯେ, ସଚେତନତା, ଶିକ୍ଷା ଓ ସକାରାତ୍ମକ ମାର୍ଗଦର୍ଶନ ହିଁ ଯୁବପିଢ଼ିଙ୍କୁ ନିଶା କବଳରୁ ସୁରକ୍ଷିତ ରଖିବାର ସବୁଠାରୁ ପ୍ରଭାବଶାଳୀ ଉପାୟ। କାର୍ଯ୍ୟକ୍ରମରେ ଶିକ୍ଷକ, କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଶା ବିରୋଧୀ ସଚେତନତାର ବାର୍ତ୍ତାକୁ ଆଗକୁ ନେବା ପାଇଁ ସଂକଳ୍ପ ନେଇଥିଲେ । ନିଶାମୁକ୍ତ ସମାଜ ଗଠନ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପରିବାର, ଶିକ୍ଷାନୁଷ୍ଠାନ ଏବଂ ସମାଜର ପ୍ରତ୍ୟେକ ନାଗରିକଙ୍କ ସାମୂହିକ ପ୍ରୟାସରେ ଏହା ସମ୍ଭବ। ଯୁବପିଢ଼ିଙ୍କୁ ସଠିକ୍ ଦିଗଦର୍ଶନ ଓ ସଚେତନତା ମାଧ୍ୟମରେ ଆମେ ଏକ ସୁସ୍ଥ, ସୁରକ୍ଷିତ ଏବଂ ନିଶାମୁକ୍ତ ଭାରତ ଗଠନ କରିପାରିବା ।

