
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସଦର ଟାଉନହଲ ଠାରେ ସୁବର୍ଣ୍ଣପୁର ମାଟିର ଝିଅ ଡ. ନିବେଦିତା ରଥଙ୍କୁ ଆଜି ଏକ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିପାଇଁ ସକାଳେ ତାଙ୍କ ବାସଭବନ ରାମଚଣ୍ଡୀ ନିବାସରୁ ଏକ ବିରାଟ ପଟୁଆରରେ ବାହାରି ପ୍ରଥମେ ମା’ ପଥେଇ ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା ପରେ ବ୍ଲକଛକ ଦେଇ ଆମ୍ବେଦକର ଛକରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ସମ୍ବର୍ଦ୍ଧନା ଦେବାପରେ କଚେରୀ ଛକ, ମଝିପଡାରେ ମଧ୍ୟ ଡ. ରଥଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଇଷ୍ଟଦେବୀ ମା’ ସୁରେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା କରିବା ପରେ ଟାଉନହଲ ଠାରେ ଏକ ସମ୍ବର୍ଦ୍ଧନା ସଭା ଆଇନଜୀବୀ ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ଜିଲ୍ଲା ଜଜ୍ ଧନୁର୍ଦ୍ଧର ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ସୁବର୍ଣ୍ଣପୁର ପୌର ପରିଷଦର ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ପୂର୍ବତନ ବିଧାୟକ ବିନୋଦ ପାତ୍ର, ପୂର୍ବତନ ନଗରପାଳ ପ୍ରମୋଦ ମହାପାତ୍ର, ଇନ୍ଦୁମତୀ ପୁରୋହିତ, ଆଇନଜୀବୀ ଅଦ୍ୱୈତ କୁମାର ପଣ୍ଡା ଉପନଗରପାଳ ମଲ୍ଲିକା ଦାନୀ, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ମହାରଣା, ମାଧବ କୁମ୍ଭାର ପ୍ରମୁଖ ଯୋଗଦେଇ ଡ. ରଥଙ୍କୁ ଏକ ବିରଳ ପ୍ରତିଭା ଭାବରେ ଉଲ୍ଲେଖ କରିଥିଲେ । ବିଶେଷ କରି ଆମେରିକାର ୱାଶିଂଟନ୍ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ ପରେ ସୁବର୍ଣ୍ଣପୁର ପାଇଁ ଅନେକ ଗୌରବ ଆଣିଛନ୍ତି । ଜିଲ୍ଲାର ପ୍ରତିଭାସମ୍ପନ୍ନ ଯୁବତୀ ଡ. ନିବେଦିତା ରଥଙ୍କୁ ଇତି ମଧ୍ୟରେ ମାତ୍ର ୩୧ବର୍ଷ ବୟସରେ ହିଁ ତିନି ତିନୋଟି ସମ୍ମାନଜନକ ଡକ୍ଟରେଟ ଉପାଧି ମିଳିଛି । ଯାହାକି ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଏକ ଗୌରବମୟ ମୁହୂର୍ତ୍ତ ହେବାସହ ମହିଳା ସଶକ୍ତିକରଣ ଯୁବ ପ୍ରତିଭାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ନୂଆଦିଲ୍ଲୀର ‘ହୋଲିଡେ ଇନ୍’ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଆମେରିକାର ପ୍ରତିଷ୍ଠିତ ୱାଶିଂଟନ୍ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ତାଙ୍କୁ ସମ୍ମାନସୂଚକ ‘ଡକ୍ଟରେଟ୍’ ଉପାଧି ଏବଂ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ଯାହାକି ଏଭଳି ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ହାସଲ କରିବାରେ ସେ ଭାରତ ବର୍ଷରେ ପ୍ରଥମ ଓଡ଼ିଆ ଯୁବତୀ ହେବାର ଗୌରବ ଅର୍ଜନ କରିଛନ୍ତି । ସାମାଜିକ ଓ ପ୍ରଶାସନିକ ସେବା ସହିତ ନ୍ୟାୟିକ (ଲ’) କ୍ଷେତ୍ରରେ ମଧ୍ୟ ନିବେଦିତାଙ୍କ ଅତୁଳନୀୟ ଅବଦାନ ଓ ସେବାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । ତାଙ୍କୁ ସହରର ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ ସଂଗଠନ ପକ୍ଷରୁ ନାଗରିକ ସଂବର୍ଦ୍ଧନା ଦିଆଯାଇଥିଲା । ପ୍ରତ୍ୟୁତ୍ତରରେ ଡ. ରଥ ତାଙ୍କର ସଫଳତାର ସମସ୍ତ ଶ୍ରେୟ ଜନସାଧାରଣ ଓ ଜିଲ୍ଲାବାସୀଙ୍କୁ ଦେଇଥିବାବେଳେ ସବୁ ସମୟରେ ସେ ଜନସାଧାରଣଙ୍କ ସାଙ୍ଗରେ ରହି ସମସ୍ତଙ୍କ ଉନ୍ନତି ତଥା ଜିଲ୍ଲାର ବିକାଶ କଳ୍ପେ କାମ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରେ ତାଙ୍କର ମତ ରଖିଥିଲେ ।
