
ନୂଆପଡ଼ା ଡିଏଚ୍ଏଚ୍ ମେଡିକାଲ୍ ଟିମ୍ର ଚମତ୍କାର : ଅଧାରାତିରେ ଅପରେସନ୍ ଥିଏଟର ଖୋଲି ଜଣେ ଯୁବକଙ୍କୁ ଜୀବନଦାନ ଦେଲେ ‘ଭଗବାନ ସଦୃଶ’ ଡାକ୍ତର
ନୂଆପଡ଼ା : (କେପିଏନ୍ଏସ୍) : ସୀମିତ ସମ୍ବଳ, କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା ପୁଣିଥରେ ନିଜର ଚମତ୍କାରିତା ଦେଖାଇଛି, ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍)ର ଅଭିଜ୍ଞ ଡାକ୍ତରୀ ଦଳ କିଛି ଦିନ ତଳେ ଜଣେ ଶିଶୁର ଶରୀରରୁ ତୀର ବାହାର କରି ଚର୍ଚ୍ଚାକୁ ଆସିଥିବା ଏହି ଟିମ୍, ଏବେ ପୁଣି ଜଣେ ୧୮ ବର୍ଷର ଜଣେ ଯୁବକଙ୍କର ଅତି ଜଟିଳ ଅସ୍ତ୍ରୋପଚାର କରି ତାଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଛନ୍ତି । ବିନା କୌଣସି ଅତ୍ୟାଧୁନିକ ବଡ଼ ସାଧନରେ, ତାହା ପୁଣି ଗଭୀର ଅଧାରାତିରେ ମେଡିକାଲ ଟିମ୍ର ଏଭଳି ଅଦ୍ଭୁତପୂର୍ବ ସଫଳତା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସଂକ୍ଷେପରେ (ଭୟଙ୍କର ଥିଲା ଛୁରାମାଡ଼) : ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ୧୮ ବର୍ଷୀୟ ଯୁବକ ଆକାଶ ଯାଦବ ଗତକାଲି ଛତିଶଗଡ଼ର ତେମ୍ପରି ଅଞ୍ଚଳକୁ ମେଳା ଦେଖିବାକୁ ଯାଇଥିଲେ । ସେଠାରେ କିଛି ଅସାମାଜିକ ଯୁବକଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା । ଏହି ଗଣ୍ଡଗୋଳ ଉଗ୍ର ରୂପ ନେବା ପରେ ରାତି ପ୍ରାୟ ୧ଟା ସମୟରେ ଧାରୁଆ ଛୁରୀରେ ଆକାଶଙ୍କୁ ଏକ ଜୀବନହନ୍ତା ଆକ୍ରମଣ କରାଯାଇଥିଲା । ଛୁରାମାଡ଼ ଏତେ ଭୟଙ୍କର ଥିଲା ଯେ ଯୁବକଙ୍କ ପେଟଟି ସମ୍ପୂର୍ଣ୍ଣ କଟିଯିବା ସହ ଭିତର ଅଂଶ (ଅନ୍ତ୍ରବୁଜୁଳା) ବାହାରକୁ ଚାଲିଆସିଥିଲା । ଏପରିକି ଛୁରୀର ଆଘାତରେ ତାଙ୍କର ଲିଭର (ଯକୃତ) ମଧ୍ୟ ଗଭୀର ଭାବେ କଟିଯାଇଥିଲା । ଯାହାଫଳରେ ପ୍ରଚୁର ରକ୍ତସ୍ରାବ ହେଉଥିଲା ଏବଂ ରୋଗୀ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ । ଅଧାରାତିରେ ଦେବଦୂତ ସାଜିଲେ ଡାକ୍ତର : ୩-୪ ଘଣ୍ଟାର କଠିନ ପରିଶ୍ରମ ଯୁବକଙ୍କ ଅବସ୍ଥା ଅତି ସଂକଟାପନ୍ନ ଥିବା ବେଳେ ତାଙ୍କଙ୍କ ଆତୁର ଓ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେତେବେଳକୁ ରାତି ଗଭୀର ହୋଇସାରିଥିଲା, କିନ୍ତୁ କର୍ତ୍ତବ୍ୟ ଆଗରେ ଡାକ୍ତରୀ ଦଳ ପାଇଁ ସମୟ ବାଧକ ସାଜିନଥିଲା । ଡ୍ୟୁଟିରେ ଥିବା ବରିଷ୍ଠ ସର୍ଜରୀ ବିଶେଷଜ୍ଞ ଡାକ୍ତର ସ୍ୱସ୍ତି ରେଖା ନାୟକ ସାମାନ୍ୟତମ ସମୟ ନଷ୍ଟ ନକରି ସ୍ଥିତିର ଗୁରୁତ୍ୱକୁ ବୁଝିଥିଲେ । ତୁରନ୍ତ ରାତିରେ ହିଁ ଅପରେସନ ରୁମ୍ (ଓଟି) ଖୋଲାଯାଇଥିଲା ଏବଂ ରାତି ୩ଟା ସମୟରେ ଏହି ବିପଦପୂର୍ଣ୍ଣ ଜରୁରୀକାଳୀନ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା । ଲିଭର ଏବଂ ପେଟ କଟିଯାଇଥିବା ଭଳି ଏକ ଅତ୍ୟନ୍ତ ଜଟିଳ ସ୍ଥିତିରେ, ଏହି ସମ୍ପୂର୍ଣ୍ଣ ଡାକ୍ତରୀ ଦଳ ରାତି ୩ଟାରୁ ସକାଳ ପର୍ଯ୍ୟନ୍ତ ପ୍ରାୟ ୩ ରୁ ୪ ଘଣ୍ଟା କାଳ ନିରବଚ୍ଛିନ୍ନ ଭାବେ କଠିନ ପରିଶ୍ରମ କରି ଏହି ଅପରେସନକୁ ସଫଳତାର ସହ ଶେଷ କରିଥିଲେ । ପ୍ରଶଂସନୀୟ ଟିମ୍ ୱର୍କ ଓ ମେଡିକାଲ କର୍ମଚାରୀଙ୍କ ସହଯୋଗ : ଡାକ୍ତର ସ୍ୱସ୍ତି ରେଖା ନାୟକଙ୍କ ନେତୃତ୍ୱରେ ଅଧାରାତିରେ ସମସ୍ତେ ଏକଜୁଟ ହୋଇ ଜୀବନ ବଞ୍ଚାଇବା ପାଇଁ ଲାଗିପଡ଼ିଥିଲେ : ଡାକ୍ତର ସ୍ୱସ୍ତି ରେଖା ନାୟକ (ବରିଷ୍ଠ ସର୍ଜରୀ ବିଶେଷଜ୍ଞ) – ଯିଏ ସମଗ୍ର ଅପରେସନର ମୁଖ୍ୟ ନେତୃତ୍ୱ ନେଇଥିଲେ । ଡାକ୍ତର ରଶ୍ମିଜିତ ବେହେରା (ଏନେସ୍ଥେସିଆ ବିଶେଷଜ୍ଞ) – ଯିଏ ଜଟିଳ ସ୍ଥିତିରେ ରୋଗୀକୁ ସୁରକ୍ଷିତ ଭାବେ ଅଚେତ ରଖିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ଡାକ୍ତର ଗୋବିନ୍ଦ ଚନ୍ଦ୍ର ସାହୁ (ନୂତନ ଭାବେ ଯୋଗ ଦେଇଥିବା ସର୍ଜରୀ ବିଶେଷଜ୍ଞ) – ଯାହାଙ୍କ ଉପସ୍ଥିତି ଓ ସହଯୋଗ ଏହି ମେଡିକାଲ ଟିମ୍କୁ ଅଧାରାତିରେ ଆହୁରି ମଜବୁତ କରିଥିଲା । ସୁଭ୍ରାଶୁଂ ଏବଂ ଅଜୟ ସାହୁ (ଓ.ଟି. ଆସିଷ୍ଟାଣ୍ଟ) – ଯେଉଁମାନେ ଅପରେସନ ସମୟରେ ପ୍ରତିଟି ସାଧନ ପ୍ରସ୍ତୁତ ରଖି ସହଯୋଗ କରିଥିଲେ । ହେମଲତା ସାହାନୀ (ହାଉସକିପିଂ କର୍ମଚାରୀ) – ଯିଏ ଗଭୀର ରାତିରେ ମଧ୍ୟ ଅତ୍ୟନ୍ତ ତତ୍ପରତାର ସହ ଉପସ୍ଥିତ ରହି ଅପରେସନ ଥିଏଟର (ଓଟି)ର ସମସ୍ତ ଜରୁରୀ ପରିମଳ ଓ ସଫାସୁତୁରା ବ୍ୟବସ୍ଥା କରିବାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ । ପୂର୍ବରୁ ସୁନାବେଡ଼ାରେ କରିଥିଲେ ‘ତୀର ମାଡ଼’ର ସଫଳ ଚିକିତ୍ସା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଦକ୍ଷ ଡାକ୍ତରୀ ଦଳ (ଡାକ୍ତର ସ୍ୱସ୍ତି ରେଖା ନାୟକ ଏବଂ ଡାକ୍ତର ରଶ୍ମିଜିତ ବେହେରା) କିଛି ଦିନ ପୂର୍ବରୁ ସୁନାବେଡ଼ା ଅଞ୍ଚଳର ଜଣେ ଶିଶୁ ଶରୀରରୁ ବିରଳ ଭାବେ ତୀର ବାହାର କରି ସାରା ଓଡ଼ିଶାରେ ପ୍ରଶଂସିତ ହୋଇଥିଲେ । ଆଜି ପୁଣି ଗଭୀର ରାତିରେ ସମସ୍ତ ମେଡିକାଲ କର୍ମଚାରୀଙ୍କ ସହଯୋଗରେ ଏହିପରି ଏକ ବଡ଼ ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର କରି ଏହି ଟିମ୍ ପ୍ରମାଣିତ କରିଛନ୍ତି ଯେ, ଦକ୍ଷତା ଓ ମାନବିକତା ଆଗରେ ସମୟ କିମ୍ବା ସମ୍ବଳର ଅଭାବ କେବେ ବି ପ୍ରତିବନ୍ଧକ ସାଜିପାରେ ନାହିଁ । “କୌଣସି ବଡ଼ ଭିତ୍ତିଭୂମି କିମ୍ବା ବ୍ୟାପକ ଆଧୁନିକ ସାଧନ ନଥାଇ ମଧ୍ୟ ଡିଏଚ୍ଏଚ୍ ଭଳି ଏକ ସରକାରୀ ଚିକିତ୍ସାଳୟରେ ଦୁଇଟି ବଡ଼ ଏବଂ ଜଟିଳ ଅପରେସନକୁ ସଫଳ କରିବା ଡାକ୍ତରୀ ଦଳର ଅସାଧାରଣ କର୍ତ୍ତବ୍ୟନିଷ୍ଠାକୁ ଦର୍ଶାଉଛି । ରାତି ତମାମ ଜାଗି ୩-୪ ଘଣ୍ଟା କାଳ ପରିଶ୍ରମ କରି ଏହି ସଫଳତା ହାସଲ କରିବା ନୂଆପଡ଼ା ଡିଏଚ୍ଏଚ୍ର ନାମକୁ ସାରା ରାଜ୍ୟରେ ଗୌରବାନ୍ୱିତ କରିଛି” । ବର୍ତ୍ତମାନ ଯୁବକ ଆକାଶ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସୁଥିବା ସୂଚନା ମିଳିଛି । ଜଣେ ଯୁବକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିବାରୁ ସ୍ଥାନୀୟ ଜନସାଧାରଣ ଏହି ମେଡିକାଲ ଟିମ୍ ସମେତ ସମସ୍ତ ସହଯୋଗୀ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବା ସହ ଶୁଭେଚ୍ଛାର ସୁଅ ଛୁଟାଉଛନ୍ତି । ସତରେ, ଏହି ଡାକ୍ତରୀ ଦଳଙ୍କ ସେବା, ତ୍ୟାଗ ଓ କଠିନ ପରିଶ୍ରମକୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ ତାହା କମ୍ ହେବ ।
