
ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବେଲପଡ଼ାରେ ଟାଟା ପାୱାର ବିରୋଧରେ ଗର୍ଜିଲା ବିଜେଡି । ବିଦ୍ୟୁତ ବିଲ୍ ଆଦାୟରେ ମନମୁଖୀ ନୀତି ଓ ସରକାରଙ୍କ ପ୍ରତିଶ୍ରୁତି ପାଳନରେ ବିଫଳତାକୁ ନେଇ ଆଜି ବେଲପଡ଼ା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ ମେହେରଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଓ ବିଦ୍ୟୁତ ଉପଭୋକ୍ତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ବେଲପଡ଼ା କଲେଜ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଦ୍ୟୁତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ସମୟରେ ଡବଲ୍ ଇଞ୍ଜିନ ସରକାର ଓ ଟାଟା ପାୱାର ବିରୋଧରେ ଜୋରଦାର ନାରାବାଜି ହୋଇଥିଲା । ବିକ୍ଷୋଭକାରୀମାନେ ସାତ ଦଫା ଦାବି ଉପସ୍ଥାପନ କରିଥିଲେ । ସ୍ମାର୍ଟ ମିଟର ନାଁରେ ଅତିରିକ୍ତ ଟଙ୍କା ଆଦାୟ ବନ୍ଦ କରିବା, ଘରେ ପଶି ଅଯଥାରେ ଜରିମାନା ଆଦାୟ ରୋକିବା, ବାରମ୍ବାର ଓ ଦୀର୍ଘ ସମୟ ବିଦ୍ୟୁତ କାଟ ବନ୍ଦ କରିବା, ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇବା ଏବଂ ଚାଷୀମାନଙ୍କ ବିଦ୍ୟୁତ ବିଲ୍ ଛାଡ଼ କରିବା ଭଳି ବିଭିନ୍ନ ଦାବି ଉଠାଇଥିଲେ । ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଶୀଘ୍ର ଏହି ସମସ୍ତ ଦାବି ପୂରଣ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।