jayashree

ବାହାରର ଟିପ୍ପର ଆର୍‌ଏସ୍‌ପିରୁ ମାଲ ପରିବହନକୁ ବିରୋଧ କରି ରଘୁନାଥପାଲି ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସ୍ଥାନୀୟ ଟିପ୍ପର ଓ ହାଇୱା ଗାଡିକୁ ମାଲ ପରିବହନ ପାଇଁ ଅନୁମତି ନଦେଇ, ବାହାରର ଗାଡିଗୁଡିକୁ କାର୍ଯ୍ୟରେ ଲଗାଯାଉଥିବା ଯୋଗୁଁ, ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନର ପ୍ରାୟ ୨୦୦ ଗାଡି ପରିବହନ କାର୍ଯ୍ୟ ନପାଇ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଅଭିଯୋଗ କରି ଆଜି ସକାଳ ୬ଟାରୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଆରମ୍ଭ କରିଛନ୍ତି । ରାଉରକେଲା ଇସ୍ପାତ କାରଖାନା ସହିତ ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନ ପକ୍ଷରୁ ଏ ନେଇ ଆଲୋଚନା କରାଯାଇଥିଲେ ମଧ୍ୟ ସମସ୍ତ ଆଲୋଚନା ବିଫଳ ହୋଇଥିଲା । ତେଣୁ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ନିଆଯାଇ ଏହି ଧର୍ମଘଟ ଆରମ୍ଭ କରାଯାଇଛି । ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ରାଉରକେଲା ଇସ୍ପାତ କାରଖାନାକୁ ଦେଓଗାଁ ପ୍ରବେଶ ପଥ ଅର୍ଥାତ୍ ସ୍ଲାଗ୍ ଗେଟ୍ ଠାରେ ଏହି ଧର୍ମଘଟ ଚାଲୁ ରଖିବା ସହିତ କାରଖାନା ମଧ୍ୟକୁ ପ୍ରବେଶ କରୁଥିବା ବାହାରର ଟିପ୍ପର ଓ ହାଇୱା ଗାଡିକୁ ରୋକିବା ସହିତ ସେଠାରୁ “ରାଖଡ” ପରିବହନ କରୁଥିବା ବାହାରର ସମସ୍ତ ଗାଡିକୁ କାରଖାନା ମଧ୍ୟକୁ ପ୍ରବେଶ କରାଇ ଦେଉନାହାନ୍ତି । ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି ଅଶୋକ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଅବନୀ ରଞ୍ଜନ ଷଢ଼ଙ୍ଗୀ, ଉପସଭାପତି ଦେବ ପ୍ରସାଦ ମିଶ୍ର, କୋଷାଧ୍ୟକ୍ଷ ବ୍ରଜ କିଶୋର ସାମଲ, ସହସମ୍ପାଦକ ଅଜିତ ଛୋଟରାୟ, ସହସମ୍ପାଦକ ସୌମ୍ୟ ରଞ୍ଜନ ନାୟକଙ୍କ ସମେତ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ଅନ୍ୟାନ୍ୟ ସଦସ୍ୟମାନଙ୍କ ସହିତ ସେଠାରେ ଏକତ୍ରିତ ହୋଇ ଧାରଣାରେ ବସିଥିଲେ । ସଂଘର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ପକ୍ଷରୁ ଆହୂତ ଆଜିର ଧର୍ମଘଟରେ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ଧର୍ମଘଟକୁ ସମର୍ଥନ କରିବା ସହିତ କହିଥିଲେ ଯେ, ରାଉରକେଲା ଏକ ସ୍ମାର୍ଟ ସିଟି ହୋଇଥିଲା ବେଳେ, ଏଠାକାର ଲୋକମାନଙ୍କୁ ଯଦି କାମ ନମିଳିବ, ଏଠାକାର କଣ୍ଟ୍ରାକ୍ଟରମାନଙ୍କୁ ଯଦି କାମ ନମିଳିବ, ଏଠାକାର ଟ୍ରକ ମାଲିକମାନଙ୍କୁ ଯଦି କାମ ନମିଳିବ ଏବଂ ବାହାରର ଲୋକ ଆସି ଏଠାରେ କାମ କରିବାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ ବିଧାୟକ ଶ୍ରୀ ତନ୍ତୀ । ଏଥିସହିତ ସେ ଅଭିଯୋଗ କରିଥିଲେ ଯେ, ଏଠାରେ ଥିବା ଅଣଓଡ଼ିଆ ଅଫିସରମାନଙ୍କ ସ୍ଥାନୀୟ ଲୋକଙ୍କ ପ୍ରତି ବୈମାତୃକ ମନୋଭାବ ତଥା ଓଡିଆଙ୍କ ପ୍ରତି ବୈମାତୃକ ମନୋଭାବ ଯୋଗୁଁ ଏସବୁ ଘଟଣା ଘଟୁଛି । ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏହାକୁ ସେ ଘୋର ନିନ୍ଦା କରିଥିଲେ । ଏଠାରେ ଚାଲିଥିବା ଡବଲ ଇଞ୍ଜିନ ସରକାରଙ୍କୁ ବଦନାମ କରିବା ପାଇଁ ଅଣଓଡିଆ ଅଫିସରମାନଙ୍କ ଏହା ଏକ ଚାଲ ବୋଲି କହିଛନ୍ତି ବିଧାୟକ ଶ୍ରୀ ତନ୍ତୀ । ଶ୍ରୀ ତନ୍ତୀ ଆହୁରି ଅଭିଯୋଗ କରି କହିଥିଲେ ଯେ, ନିକଟରେ ଆର୍‌ଏସ୍‌ପି କ୍ୱାର୍ଟର ଲିଜ୍ ନେଇଥିବା ଅବସରପ୍ରାପ୍ତ କର୍ମଚାରୀ, ତାଙ୍କ ଜୀବନର ଅର୍ଜିତ ଅର୍ଥକୁ କ୍ୱାର୍ଟର ପାଇଁ ଲଗାଇ ଦେଇଥିଲେ ମଧ୍ୟ କେତେକ ଅଣଓଡ଼ିଆ ଅଫିସର, ସେମାନଙ୍କୁ ହଟାଇବା ପାଇଁ ମସୁଧା କରିଥିଲେ । ଟ୍ରକ ମାଲିକମାନେ ଲୋନ୍ କରି ଟ୍ରକ ନେଇ ମାଲ ପରିବହନ କରୁଥିଲେ ମଧ୍ୟ, ଆର୍‌ଏସ୍‌ପି କର୍ତ୍ତୃପକ୍ଷ ସେମାନଙ୍କୁ କାମ ନଦେଇ ବାହାରର ଟ୍ରକକୁ କାମ ଦେବା ଅତ୍ୟନ୍ତ ନିନ୍ଦନୀୟ । ତେଣୁ କାରଖାନା କତ୍‌ର୍ତ୍ତୃପକ୍ଷ ତୁରନ୍ତ ଏହାର ସମାଧାନ କରି ସ୍ଥାନୀୟ ଟିପ୍ପର ମାଲିକମାନଙ୍କୁ କାମ ଦେବା ପାଇଁ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.