
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶୈଳଶ୍ରୀ ପ୍ୟାଲେସ ଠାରେ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ରେଲ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛି । ବିଶେଷତଃ ବଲାଙ୍ଗିର ଠାରେ ପିଟ୍ ଲାଇନ ପ୍ରତିଷ୍ଠା, ଦିଲ୍ଲୀ ବା ପ୍ରୟାଗରାଜକୁ ଏକ ସିଧାସଳଖ ଟ୍ରେନ, ଭୁବନେଶ୍ୱରକୁ ଯାଇ ଫେରି ଆସିବା ପରି ଏକ ସକାଳୁଆ ଟ୍ରେନ ପାଇଁ ଦାବି ରଖିଛି । ବିଧାୟକ ପ୍ରାୟ ଅଧଘଣ୍ଟା ସମୟ ସମସ୍ତ ଦାବିକୁ ଶୁଣି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏ ବିଷୟରେ ଜଣାଇବେ ବୋଲି ପ୍ରତିଶୃତି ଦେଲେ । ଅନ୍ୟ ସଦସ୍ୟମାନେ ଇସ୍ପାତ ଟ୍ରେନର ବିଳମ୍ବ, ପୁରୀ ସମ୍ବଲପୁର ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରିତ କରିବା ପାଇଁ ଦାବି ରଖିଥିଲେ । ପ୍ରତିନିଧି ଦଳରେ ବିମଳ ଚକ୍ରବର୍ତ୍ତୀ, ଗୋପବନ୍ଧୁ ପୁରୋହିତ, ପ୍ରଭାକର ମିଶ୍ର, ଦିବାକର ହୋତାଙ୍କ ସହ ମାଲପଡା ନାଗରିକ କମିଟିର ଅମୀୟ କୁମାର ମିଶ୍ର ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ । ସଭାପତି ଗତ ବିଶାଖପାଟଣା ଦିଲ୍ଲୀ ଟ୍ରେନକୁ ବଲାଙ୍ଗିର ଠାରେ ରହଣି କରିଥିବାରୁ ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହ ବିଭିନ୍ନ ସଂଗଠନରୁ ଆସିଥିବା କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।