
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସରେ ଟିଟିଲାଗଡ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ନୂତନ ନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ସମାରୋହ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଡିଏନ୍ ରିସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, ସମ୍ମାନିତ ଅତିଥି ଭାବେ କନ୍ଫେଡେରେସନ୍ ଅଫ ଅଲ୍ ଇଣ୍ଡିଆ ଟ୍ରେଡର୍ସର ରାଜ୍ୟ ସଭାପତି ଜିତେନ୍ଦ୍ର କୁମାର ଗୁପ୍ତା, ମୁଖ୍ୟବକ୍ତା ଭାବେ କନ୍ଫେଡେରେସନ୍ ଅଫ ଅଲ୍ ଇଣ୍ଡିଆ ଟ୍ରେଡର୍ସର ଉପସଭାପତି ରାଜ କୁମାର ଶୁକ୍ଳା, ସଭାପତି ଶମ୍ଭୁ ପ୍ରସାଦ ଗୋଏଲ, ଉପସଭାପତି ସଞ୍ଜୟ ସୋନି, ପୂର୍ବତନ ସଭାପତି ତ୍ରିନାଥ ସରାଫ, ସଚିବ ଗୋପାଳ କୁମାର ଜୈନ, ଯୁକ୍ତ ସଚିବ ଅମନ କୁମାର ଗୋଏଲ, କୋଷାଧ୍ୟକ୍ଷ ଗଙ୍ଗାଧର ଶର୍ମା ମଞ୍ଚାସୀନ ଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚିତ, ଚୟନିତ ହୋଇଥିବା ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ ସାଧାରଣ ସଦସ୍ୟଙ୍କ ସହିତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ପ୍ରଥମେ ପ୍ରଭୁ ଗଣେଶଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପୂଜାର୍ଚ୍ଚନା ପରେ ପ୍ରଭୁ ଜଗନ୍ନାଥଙ୍କ ଭଜନରେ ଡେନ୍ସିଂ ଷ୍ଟାର ଏକାଡେମୀ ଗ୍ରୁପ ପକ୍ଷରୁ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରାଯାଇଥିଲା । ତାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଶୈଳେଶ ଗୋଏଲ । ନୂତନ ଭାବେ ନିର୍ବାଚିତ ହେବା ପରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ସଭାପତି ଶମ୍ଭୁ ପ୍ରସାଦ ଗୋଏଲ । ଶ୍ରୀ ଗୋଏଲ ବ୍ୟବସାୟୀମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ କହିବା ସହ ଅନଲାଇନ ବ୍ୟାପାର ପାଇଁ ଲୋକାଲ ବ୍ୟବସାୟୀ ବହୁତ କ୍ଷତି ସହୁଛନ୍ତି ସେ ଦିଗରେ ସମାଧାନର ରାସ୍ତା ବାହାର କରିବାକୁ ନିବେଦନ କରିଥିଲେ । ସେହିପରି ମୁଖ୍ୟଅତିଥି ବିଧାୟକ ନବୀନ ଜୈନ ନିର୍ବାଚିତ ସଦସ୍ୟଙ୍କୁ ଶୁଭେଛା ଜଣାଇବା ସହ ବ୍ୟବସାୟୀ ହେଉଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସମସ୍ୟା ସହ ନିଜର ଭୁଲ କେଉଁଠି ରହୁଛି ସେ ବିଷୟରେ ଆଲୋକପାତ କରିଥିଲେ । ଯେମିତିକି ପ୍ରଥମେ ଅନୁଶାସନ ନିଜ ଠାରୁ ଆଣିବାକୁ ପଡିବ, କେଉଁ ବ୍ୟବସାୟୀ ନିଜେ ଅନଲାଇନରେ ଜିନିଷ କିଣୁ ନାହାନ୍ତି ଆଗ ନିଜର ଅନ୍ତର ଆତ୍ମାକୁ ପଚାରନ୍ତୁ, କପଡ଼ା ବ୍ୟବସାୟୀମାନେ କେବଳ ରାୟପୁରରୁ କପଡ଼ା ଆଣି ବିକୁଛନ୍ତି, କିଏ କିଏ ସୁରତ, ବମ୍ବେରୁ କେତେ ବ୍ୟବସାୟୀ ଲଟରେ ଜିନିଷ ଆଣୁଛନ୍ତି କି ? ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳର ଲୋକେ ସାଇକେଲ, ବାହାଘର କପଡ଼ା, ଟାଇଲ, ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ପାଇଁ ନିକଟ କେସିଙ୍ଗା, କଣ୍ଟାବାଞ୍ଜି ଉପରେ ନିର୍ଭର କରୁଛନ୍ତି । ସେମାନେ ସେଠାକୁ କାହିଁକି ଯାଉଛନ୍ତି କାରଣ ଟିଟିଲାଗଡ ଦୋକାନୀଙ୍କ ଠାରୁ କମ୍ ଦରରେ ସେଠାରେ ମିଳୁଛି ତାହେଲେ ଲୋକ କେଉଁଠୁ କିଣିବେ ଆପଣମାନେ ବିଚାର କରନ୍ତୁ ବୋଲି ବ୍ୟବସାୟୀଙ୍କୁ ପ୍ରଶ୍ନ କରିଥିଲେ । ସେଥିପାଇଁ ନିଜର ମନୋବଳ ଦୃଢ଼ କରିବା ସହ ଏବେର ବ୍ୟବସାୟର ଢାଞ୍ଚା ବଦଳାନ୍ତୁ ବୋଲି କହିଥିଲେ । ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ ରାଜ କୁମାର ଶୁକ୍ଳା । ଶପଥ ଗ୍ରହଣ ସମାରୋହ ପରେ ସମସ୍ତ ଅତିଥିଙ୍କୁ ଉପଢୌକନ ଦେଇ ବଣିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।