
- ସମ୍ମାନର ସହ ସ୍ୱର୍ଗଦ୍ୱାରରେ ହେଲା ଅନ୍ତିମ ସଂସ୍କାର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ପୁଣି ଥରେ ଦେଖିବାକୁ ମିଳିଛି ମାନବିକତାର ଏକ ଅନନ୍ୟ ତଥା ଦୁଃଖଦାୟକ ଚିତ୍ର । ରକ୍ତର ସମ୍ପର୍କ ନଥାଇ ବି ତିନି ଅଭାଗାଙ୍କ ଶେଷ ସାଥୀ ସାଜିଲା ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନ । ସେହି ଅଚିହ୍ନାଙ୍କର ପରିଚୟ କଣ ? ଏହି ପ୍ରଶ୍ନର ଉତ୍ତର ଆଜି କାହା ପାଖରେ ନାହିଁ । ସଂସାରରେ କେହି ଆପଣାର ଥିଲେ କି ନାହିଁ ତାହା ବି ରହସ୍ୟ । କିନ୍ତୁ ମୃତ୍ୟୁ ପରେ ସେମାନେ ଅନାଥ ହୋଇ ରହିଗଲେ ନାହିଁ । ସେମାନଙ୍କ ଶେଷ ଯାତ୍ରାକୁ ସମ୍ମାନ ଜଣାଇ ସାମ୍ନାକୁ ଆସିଲା ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନ । ଗତ କିଛି ଦିନ ମଧ୍ୟରେ ସହରର ବିଭିନ୍ନ ସ୍ଥାନରୁ ତିନି ଜଣ ନିରାଶ୍ରିତ ଓ ଅପରିଚିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ, ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସେମାନଙ୍କର ଶେଷ ସଂସ୍କାର କରି ସେବା ଓ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରଥମ ଘଟଣାଟି ଘଟିଥିଲା ଗତ ମେ’ ୨୨ ତାରିଖ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ । ବଲାଙ୍ଗିର ସହରର ପଥରଚେପା ବସ୍ତିର ଏକ ବାରଣ୍ଡାରେ ଦେଖିବାକୁ ମିଳିଥିଲା ଏକ ଅତ୍ୟନ୍ତ ହୃଦୟବିଦାରକ ଦୃଶ୍ୟ । ଯେଉଁ ବୃଦ୍ଧା ଜଣକ ଦିନେ ଗାଁ ଗାଁ ବୁଲି ଭିକ ମାଗି ନିଜର ପେଟ ପୋଷୁଥିଲେ, ସେହି ବାରଣ୍ଡାରେ ହିଁ ସେ ଅଚେତ୍ ଅବସ୍ଥାରେ ପଡ଼ି ରହିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ସଦର ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପିସିଆର୍ ଯୋଗେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା । ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଅନ୍ୟ ଏକ ଘଟଣାରେ, ଜଣେ ପାଖାପାଖି ୬୫ ବର୍ଷୀୟ ଅଜଣା ବୃଦ୍ଧ ରୋଗଗ୍ରସ୍ତ ହୋଇ ଗତ ଫେବୃଆରୀ ୯ ତାରିଖରୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୀର୍ଘଦିନର ଲଢ଼େଇ ପରେ ଗତ ମେ ୨୩ ତାରିଖ ରାତି ୧୧.୨୦ ମିନିଟ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତୃତୀୟ ମୃତକ ଜଣକ ହେଉଛନ୍ତି ପିପଲ ବାହାଲ (ଲାଠୋର ଥାନା) ଅଞ୍ଚଳର ଜଣେ ପାଖାପାଖି ୫୦ ବର୍ଷୀୟ ଅଜଣା ବ୍ୟକ୍ତି । ସେ ମଧ୍ୟ ନିରାଶ୍ରିତ ଥିଲେ । ମେ ୧୫ ତାରିଖରୁ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ରେଫର୍ କରାଯାଇଥିଲା । ଗତ ମେ ୨୪ ତାରିଖ ସକାଳ ୬.୫୨ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ନିୟମ ଅନୁଯାୟୀ, ଶବ ବ୍ୟବଚ୍ଛେଦ ପରେ ୭୨ ଘଣ୍ଟା ପର୍ଯ୍ୟନ୍ତ ଶବ ସଂରକ୍ଷଣ କେନ୍ଦ୍ରରେ ଏହି ତିନୋଟି ମୃତଦେହକୁ ରଖାଯାଇଥିଲା । କିନ୍ତୁ କୌଣସି ପରିବାର ଲୋକ କିମ୍ବା ସମ୍ପର୍କୀୟଙ୍କ ସନ୍ଧାନ ମିଳିନଥିଲା । ଏହାପରେ ପୋଲିସ ପ୍ରଶାସନ ପକ୍ଷରୁ ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନକୁ ଯୋଗାଯୋଗ କରାଯାଇଥିଲା । ଖବର ପାଇବା ମାତ୍ରେ ବିଳମ୍ବ ନକରି ସେବା ଓ ମାନବିକତାର ପ୍ରକୃତ ପରିଭାଷା ନେଇ ଆଗେଇ ଆସିଥିଲେ ସଂଗଠନର କର୍ମକର୍ତ୍ତା । ସଂଗଠନର ପ୍ରମୁଖ ସଦସ୍ୟ ଗୋବିନ୍ଦ ଚନ୍ଦ୍ର ଶତପଥି, ଉତ୍ତମ ନନ୍ଦ, ଦେବରାଜ ନାଗ, ସରୋଜ ଜାଲ ଏବଂ ଶିବ ବେହେରା ଅତି ସମ୍ମାନର ସହ ଶବ ସଂରକ୍ଷଣ ଗୃହରୁ ତିନୋଟି ଯାକ ମୃତଦେହକୁ ଉଦ୍ଧାର କରିଥିଲେ । ସମାଜରେ ପରିତ୍ୟକ୍ତ ଓ ଅନାଥ ଅବସ୍ଥାରେ ଆଖି ବୁଜିଥିବା ଏହି ତିନି ଜଣଙ୍କୁ ସଂଗଠନ ସଦସ୍ୟମାନେ ନିଜର ବୋଲି ଭାବି ସ୍ଥାନୀୟ ବିଜାଖମନ ସ୍ଵର୍ଗଦ୍ଵାରକୁ ନେଇଥିଲେ । ସେଠାରେ ସମସ୍ତ ରୀତିନୀତି ଅନୁଯାୟୀ ସେମାନଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା । ରକ୍ତର ସମ୍ପର୍କ ନଥାଇ ମଧ୍ୟ ମୃତ୍ୟୁ ପରେ ମୃତଦେହକୁ ଯେଉଁଭଳି ଭାବେ ସମ୍ମାନ ଦିଆଗଲା, ତାହା ଆଜିର ସ୍ୱାର୍ଥପର ଦୁନିଆରେ ମାନବିକତା ଏବେ ବି ଜୀବିତ ଅଛି ବୋଲି ପ୍ରମାଣିତ କରୁଛି ।