
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଚଳିତ ମାସ ମଇ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର “ସ୍ୱତନ୍ତ୍ର ସଘନ ସଂଶୋଧନ” କାର୍ଯ୍ୟକ୍ରମର ସୁପରିଚାଳନା ନେଇ ବୁଧବାର ଦିନ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶଙ୍କ ଅଧ୍ୟକ୍ଷତାରେ ଏକ ଉପଖଣ୍ଡ ସ୍ତରୀୟ ସହାୟତା କେନ୍ଦ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖୋଲା ଯାଇଛି । ସହାୟତା କେନ୍ଦ୍ର ବିଷୟରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶ କହିଛନ୍ତି ଯେ, ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ସରଳୀ କରଣ କରାଯିବ । ସଂଶୋଧନ କାର୍ଯ୍ୟରେ ୮୨ନଂ.ବାଲିଗୁଡା ନିର୍ବାଚନୀ ମଣ୍ଡଳୀରେ ୧୭୮ଜଣ ଏବଂ ୮୩ ନଂ. ଜି.ଉଦୟଗିରି ନିର୍ବାଚନୀ ମଣ୍ଡଳୀରେ ୨୫୩ଜଣ ବିଏଲ୍ଓ ଏସଆଇଆର୍ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସମସ୍ତ ଗଣନା ଫର୍ମ ସ୍ଥାନୀୟ ଓଡ଼ିଆ ଭାଷାରେ ଉପଲବ୍ଧ ହେବ, ଯାହାଦ୍ୱାରା ଗ୍ରାମାଞ୍ଚଳର ସାଧାରଣ ଲୋକେ ଏହାକୁ ସହଜରେ ବୁଝିପାରିବେ । ଘରକୁ ଘର ବୁଲି ହେବାକୁ ଥିବା ଗଣନା କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ସଚେତନ କରାଯିବ, ଯେପରି ସେମାନେ ନିଜ ସଠିକ୍ ତଥ୍ୟ ପ୍ରଦାନ କରିବେ । ଏହି ଅଭିଯାନରେ କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏସ୍ଆଇଆର୍ ସମୟରେ ବିଏଲ୍ଓମାନେ ଘରକୁ ଘର ବୁଲି ସର୍ଭେ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ଗୁଜବ ମୁକ୍ତ କରିବା ପାଇଁ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦ ଟୋଲ୍ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବର ବ୍ୟାପକ ପ୍ରଚାର କରାଯିବ । ଏହି ନମ୍ବର ଜରିଆରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ଏବଂ ନିଜ ଅଞ୍ଚଳର ବିଏଲ୍ଓଙ୍କ ସହ ଆଲୋଚନା ପାଇଁ “ବୁକ ଏ କଲ” ମଧ୍ୟ କରିପାରିବେ । ଭୋଟର ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରାଯାଇଛି ।