jayashree

ଓଡିଶା ମେଟାଲିକ ଦ୍ୱାରା ବେଆଇନ ଜଙ୍ଗଲ ଜମି ଅଧିକାର ମାମଲା,​ ଡ଼ିଏଫ୍‌ଓଙ୍କୁ ୨୫ ହଜାର ଟଙ୍କା ଜରିମାନା କଲେ ଏନ୍‌ଜିଟି

  • କମ୍ପାନୀ ପରିସରରେ ଥିବା ୧୩ଟି ବେଆଇନ ଗଭୀର ନଳକୂପକୁ ସିଲ ପାଇଁ ହୀରାକୁଦ ଡ୍ୟାମ ବିଭାଗର ନିର୍ଦ୍ଦେଶ

ରାଉରକେଲା/​ଝାରସୁଗୁଡ଼ା, (ସସ୍ମିତା ପ୍ରଧାନ) : ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ପୂର୍ବ ଜୋନ ବେଞ୍ଚ ଓଡିଶା ମେଟାଲିକ ଦ୍ୱାରା ବେଆଇନ ଜଙ୍ଗଲ ଜମି ମାମଲାର ଶୁଣାଣି ସମୟରେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଏବଂ ଜବାବ ଦାଖଲ ନକରିବା ସହିତ ବାରମ୍ବାର ସୁଯୋଗ ପାଇବା ସତ୍ତ୍ୱେ କୋର୍ଟରେ ପକ୍ଷ ରଖିନଥିବା ୬ ନମ୍ବର ପ୍ରତିପକ୍ଷ ଝାରସୁଗୁଡା ଡ଼ିଏଫ୍‌ଓଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ମାନ୍ୟବର ଏନ୍‌ଜିଟି ୨୫,୦୦୦ ଟଙ୍କାର ଆର୍ଥିକ ଜରିମାନା ଲଗାଇଛନ୍ତି । ସୂଚନା ଅନୁସାରେ ଝାରସୁଗୁଡ଼ା ସଦର ବ୍ଲକ ମରାକୁଟା ଠାରେ ଥିବା ଓଡିଶା ମେଟାଲିକ କମ୍ପାନୀ ବେଆଇନ ଜଙ୍ଗଲ ଜମି ଜବରଦଖଲ ସମ୍ପର୍କିତ ଆବେଦନକାରୀ ଶତ୍ରୁଘ୍ନ ମେହେରଙ୍କ ମୂଳ ଆବେଦନ ଉପରେ ଗତ ମେ ୨୫, ୨୦୨୬ରେ ଭର୍ଚୁଆଲ ମାଧ୍ୟମରେ ଏହି ଶୁଣାଣି ଅନୁଷ୍ଠିତ ହୋଇଥିଲା । ବିଚାରପତି ଜଷ୍ଟିସ ଅରୁଣ କୁମାର ତ୍ୟାଗୀ ଏବଂ ବିଶେଷଜ୍ଞ ସଦସ୍ୟ ଈଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଶୁଣାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଓ ଆଶୁତୋଷ ପାଢ଼ୀ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ପୂର୍ବରୁ ତିନି ତିନି ଥର ସୁଯୋଗ ଦିଆଯାଇଥିଲେ ମଧ୍ୟ ୬ ନମ୍ବର ପ୍ରତିପକ୍ଷ ତଥା ଝାରସୁଗୁଡା ଡ଼ିଏଫ୍‌ଓ ଅଶୋକ ମନୁ ଭଟ୍ଟ ନିଜର ଜବାବ ଦାଖଲ କରିନଥିଲେ । ଏଭଳି ଅନୁପାଳନ ନକରିବା ଯୋଗୁଁ ମାମଲାରେ ଅଯଥା ବିଳମ୍ବ ଏବଂ ଖର୍ଚ୍ଚ ବଢୁଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତିପକ୍ଷ ଝାରସୁଗୁଡା ଡ଼ିଏଫ୍‌ଓଙ୍କୁ ଏହି ଜରିମାନା ରାଶି ୨୫ ହଜାର ଟଙ୍କା ଆସନ୍ତା ଏକ ମାସ ମଧ୍ୟରେ ଆବେଦନକାରୀଙ୍କ ଓକିଲଙ୍କ ପାଖରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସେମାନଙ୍କୁ ଜବାବ ରଖିବା ପାଇଁ ଶେଷ ସୁଯୋଗ ମିଳିଛି । ଏହି ଜଙ୍ଗଲ ଜମି ଓ ପରିବେଶ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୮, ୨୦୨୬ରେ ଅନୁଷ୍ଠିତ ହେବ । ଅନ୍ୟ ପଟେ ଜଳ ସେଚନ ବିଭାଗ ଅନ୍ତର୍ଗତ ହୀରାକୁଦ ଡ୍ୟାମ ପ୍ରୋଜେକ୍ଟର ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡିଶା ମେଟାଲିକ କମ୍ପାନୀ ପରିସରରେ ଥିବା ଭୂତଳ ଗଭୀର ନଳକୂପର ସଂଖ୍ୟା ଗଣନା ସମୟରେ ୨୦ଟିରୁ ୧୩ଟି ବେଆଇନ ଗଭୀର ନଳକୂପ ରହିଥିବା ବେଳେ କେବଳ ୭ଟିର ଅନୁମତି ରହିଥିବା ବିଷୟରେ ହୀରାକୁଦ ଡ୍ୟାମ ବିଭାଗ ଅଧିକାରୀ ସୂଚନା ଦେଇଥିଲେ । ଏନେଇ ଝାରସୁଗୁଡା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି ଯେ, ଆମକୁ ହୀରାକୁଦ ଡ୍ୟାମ ପ୍ରୋଜେକ୍ଟର ଅଧିକ୍ଷଣ ଯନ୍ତ୍ରୀ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, ଓଡିଶା ମେଟାଲିକ କମ୍ପାନୀ ପରିସରରେ ବେଆଇନ ୧୩ଟି ଗଭୀର ନଳକୂପକୁ ସିଲ କରାଯିବ ଏବଂ ଏହା ବିରୋଧରେ କମ୍ପାନୀଙ୍କୁ ଫାଇନ କରାଯିବ । ଉପଜିଲ୍ଲାପାଳ ପଣ୍ଡା ଆହୁରି କହିଛନ୍ତି ଯେ, ଏହି ୧୩ଟି ବେଆଇନ ଗଭୀର ନଳକୂପ ବାହାରେ ଆହୁରି ବେଆଇନ ଗଭୀର ନଳକୂପ ରହିଥିବା ଅଭିଯୋଗ ଆମ ପାଖକୁ ଆସିଛି, ଏନେଇ ପୁଣି ତଦନ୍ତ କରାଯିବା ପାଇଁ ହୀରାକୁଦ ଡ୍ୟାମ ପ୍ରୋଜେକ୍ଟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ଏନେଇ ଓଡିଶା ମେଟାଲିକ କମ୍ପାନୀର ଉପସଭାପତି ଅଜିତ ସିଂଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇ ପାରି ନଥିଲା ।

Leave A Reply

Your email address will not be published.