
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଜିଲ୍ଳା ପ୍ରଶାସନ ମେ ୨୦ତାରିଖ ଠାରୁ କଳାହାଣ୍ଡି ଜିଲ୍ଲାର ମଣ୍ଡି ଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ଗତ ଦୁଇଦିନ ହେବ ମଣ୍ଡି ଗୁଡ଼ିକ ଖୋଲିବାରେ ଲାଗିଛି । କେତେକ ସ୍ଥାନରେ କେବଳ ପୂଜା ଆରାଧନା କରି ମଣ୍ଡି ଉଦ୍ଘାଟନ କରୁଥିବା ବେଳେ ଧାନ ଗଚ୍ଛିତ କରି ମଣ୍ଡିରେ ରଖିଥିବା ଚାଷୀମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ବ୍ଲକ ପରିସର ମଧ୍ୟରେ ୨୪ଟି ମଣ୍ଡି ପ୍ରତିଷ୍ଠା କରି ପାଞ୍ଚଟି ପେକ୍ସ ମାଧ୍ୟମରେ ପଞ୍ଜୀକୃତ ହୋଇଥିବା ୮, ୭୭୧ଜଣ ଚାଷୀଙ୍କ ଠାରୁ ଧାନ କିଣିବାର ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଅନ୍ୟ ପଟରେ ମେଗା ଉଠା ଜଳସେଚନ ବ୍ୟବସ୍ଥାରୁ ବ୍ଲକର ୬୬୭୧ହେକ୍ଟର ଜମିରେ ଜଳସେଚନ ପାଇ ଚାଷ କରିଥିବା ଚାଷୀଙ୍କ ପାଇଁ ଏବେବି ଅନିଶ୍ଚିତତା ମଧ୍ୟରେ ଦିନ କାଟିବାକୁ ପଡୁଛି । ଆଜି ଜୟପାଟଣା ମଣ୍ଡି ଉଦ୍ଘାଟନ କରାଯାଇଥିବା ବେଳେ ଜଣେ ମହିଳା ଚାଷୀ ନିରୁପମା ପଣ୍ଡାଙ୍କ ୪୨କ୍ଵିଣ୍ଟାଲ, ସୁକାନ୍ତ ପଣ୍ଡାଙ୍କ ୩୩.୬୦, ଜଗମୋହନ ଅଗ୍ରୱାଲଙ୍କ ୭୫କ୍ଵିଣ୍ଟାଲ, ସୌରଭ ଅଗ୍ରୱାଲଙ୍କ ୫୩.୨୮ କ୍ଵିଣ୍ଟାଲ ଓ ପ୍ରକାଶ ମୁଣ୍ଡଙ୍କ ୭୫କ୍ଵିଣ୍ଟାଲ ଧାନ ମଣ୍ଡିରେ ପହଞ୍ଚିଥିଲେ ସୁଦ୍ଧା କୌଣସି ମିଲର ଉପସ୍ଥିତ ନ ଥିବାରୁ ଧାନ ଉଠିବା ସମ୍ଭବ ହୋଇ ନଥିବା ସୂଚନା ମିଳିଛି । ଅନ୍ୟ ପଟରେ ମଣ୍ଡିମାନଙ୍କର ଅଚଳାବସ୍ଥାକୁ ଦେଖି ଦଲାଲମାନେ ୧୬୦୦ଟଙ୍କାରେ ଧାନ କିଣି ଅନ୍ୟତ୍ର ପଠାଉଥିବା ଅଭିଯୋଗ ଆସୁଛି । ଜୟପାଟଣା ମଣ୍ଡି ଉଦ୍ଘାଟନ ବେଳେ ଆର୍ଏମ୍ସି ସମ୍ପାଦକ ଭୁବନେଶ୍ୱର ବେହେରା, ପ୍ୟାକ୍ସ ସମ୍ପାଦକ ଅବିନାଶ ପଣ୍ଡା, କୃଷି ବିଭାଗ ପ୍ରତିନିଧି ରଂଜନ କୁମାର ହଂସ, ଡିଏଲ୍ପିସି ସଦସ୍ୟ ଶେଷଦେବ ବେହେରା, କୃଷକ ନେତା ଚୈତନ୍ୟ ସେଠୀ, ପ୍ରଶାନ୍ତ କୁମାର ମୁଣ୍ଡ, ପ୍ରୀତମ ପଟ୍ଟନାୟକ, ସଫି ମହମ୍ମଦ ଓ ସମସ୍ତ ବିକ୍ରେତା ଚାଷୀ ଉପସ୍ଥିତ ଥିଲେ । ମଣ୍ଡି ଆରମ୍ଭରୁ ପ୍ରସ୍ତୁତି ବିଭ୍ରାଟ ପାଇଁ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହେଉଛି ।