jayashree

ପରିବାରରେ କେହି ନଥିବାରୁ ଅଟକିଥିଲା ଶେଷକୃତ୍ୟ : ବୃଦ୍ଧାଙ୍କ ଶବ ସତ୍କାର କରି ମାନବିକତା ଦେଖାଇଲା ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନ

​ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିବାରରେ କେହି ପୁରୁଷ ସଦସ୍ୟ ନଥିବା ଏବଂ ଅସହାୟତା ଯେ, କେତେ କଷ୍ଟଦାୟକ, ତାହା ଗତକାଲି ରାତିରେ ବଲାଙ୍ଗିର ସହରର କଂସାରୀ ପଡ଼ାରେ ଦେଖିବାକୁ ମିଳିଛି । ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ପରେ ପରିବାରରେ ସାହାଯ୍ୟ କରିବାକୁ କେହି ନଥିବାରୁ ଶବସତ୍କାର ହୋଇନପାରି ଦୀର୍ଘ ସମୟ ଧରି ପଡ଼ିରହିବା ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ମାନବିକତା ଦେଖାଇ ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଆଗେଇ ଆସି ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ସୂଚନା ଅନୁଯାୟୀ, କଂସାରୀ ପଡ଼ାର ୭୦ ବର୍ଷୀୟା ବାସନ୍ତୀ ଡାଙ୍ଗଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଥିଲା । ବୃଦ୍ଧାଙ୍କର ଏକମାତ୍ର ପୁତ୍ରର ମୃତ୍ୟୁ ପୂର୍ବରୁ ହିଁ ହୋଇସାରିଥିବା ବେଳେ, ଘରେ କେବଳ ତାଙ୍କର ବିଧବା ପୁତ୍ରବଧୂ ଓ ନାତିନାତୁଣୀ ରହୁଛନ୍ତି । ପରିବାରରେ କୌଣସି ପୁରୁଷ ସଦସ୍ୟ କିମ୍ବା ସାହାଯ୍ୟ କରିବା ଭଳି କେହି ନଥିବାରୁ, ବୃଦ୍ଧାଙ୍କ ମୃତ୍ୟୁ ପରେ ଶବସତ୍କାର ପାଇଁ ଶ୍ମଶାନକୁ ନେବା ସେହି ଅସହାୟ ମହିଳା ଓ ପିଲାମାନଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା । ଏଭଳି ସ୍ଥିତିରେ ପରିବାର ଲୋକେ କାନ୍ଦବୋବାଳି କରି ଅସହାୟ ଅବସ୍ଥାରେ ଘରେ ବସି ରହିଥିଲେ । ଏହି ଦୁଃଖଦ ଖବର ପାଇ ସ୍ଥାନୀୟ କାଉନସିଲର ଈଶ୍ମତ ଅରା ଖାନ୍ ଓ ପୂର୍ବତନ କାଉନସିଲର ମୁନ୍ନା ଖାନ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିବାରର ଏଭଳି ଅସହାୟ ସ୍ଥିତି ଦେଖି ସେମାନେ ତୁରନ୍ତ ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନ ସହିତ ଯୋଗାଯୋଗ କରିଥିଲେ । ଖବର ପାଇବା ମାତ୍ରେ ସଂଗଠନର ସଦସ୍ୟମାନେ ମୃତକଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସମସ୍ତ ଦାୟିତ୍ୱ ନିଜ ହାତକୁ ନେଇଥିଲେ । ​ସଂଗଠନ ପକ୍ଷରୁ ଶବ ଉଦ୍ଧାର କରାଯାଇ ସମ୍ମାନର ସହ ବିଜାଖମନ୍ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା । ସେଠାରେ ସଂଗଠନର ସଦସ୍ୟ ଗୋବିନ୍ଦ ଚନ୍ଦ୍ର ଶତପଥି, ଉତ୍ତମ ନନ୍ଦ, ସରୋଜ ଜାଲ, ପ୍ରଦୀପ ଜୁଏଡ ଏବଂ ଶିବ ବେହେରା ପ୍ରମୁଖ ଉପସ୍ଥିତ ରହି ବୃଦ୍ଧାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବା ସହ ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.