
ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଆଜି ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ ହୋଇଛି । ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ଛାତ୍ରମାନେ ଏନ୍ଟିଏ ମୁର୍ଦାବାଦ୍ ଓ ଶିକ୍ଷା ମନ୍ତ୍ରୀଇସ୍ତଫା ଦିଅ ସ୍ଲୋଗାନ୍ ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା, ଏନ୍ଟିଏକୁ ବରଖାସ୍ତ କରିବା, ୨୩ ଲକ୍ଷ ଛାତ୍ରଙ୍କୁ ୩ ଗୁଣା ଫିସ୍ ଫେରସ୍ତ, ମୃତ ପରୀକ୍ଷାର୍ଥୀଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ, ନିଟ୍ ଛାତ୍ରଙ୍କୁ ନ୍ୟାୟ, ମେଡିକାଲ୍ ନାମଲେଖାରେ ଓବିସି, ଏସ୍ସି, ଏସ୍ଟିଙ୍କୁ ସଂଖ୍ୟା ଅନୁପାତରେ ପ୍ରତିନିଧିତ୍ୱ ଏବଂ ‘ଏକ ଦେଶ–ଏକ ଶିକ୍ଷା,ଏକ ଫିସ୍–ଏକ ପରୀକ୍ଷା’ ବ୍ୟବସ୍ଥା ଲାଗୁ କରିବା ରହିଛି । ମୋର୍ଚ୍ଚାର ଜିଲ୍ଲା ସଭାପତି ଉତ୍ତମ ଖମାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ନିରଞ୍ଜନ ଡାଙ୍ଗ, ଜ୍ଞାନ ମହାକୁର, ସରୋଜ କୁମାର ମେଶ୍ଵା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ରାହାସ ବିହାରୀ ଭୋଇ, ସୁଦର୍ଶନ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ୧୫ ଦିନରେ ଦାବି ପୂରଣ ନ ହେଲେ ଜିଲ୍ଲାବ୍ୟାପୀ କଲେଜ ବନ୍ଦ ଓ ରାଜରାସ୍ତା ଅବରୋଧ କରାଯିବା ନେଇ ମୋର୍ଚ୍ଚା ଚେତାବନୀ ଦେଇଛି ।