
- ମନମୋହିଲା ବିହୁ
ବଲାଙ୍ଗିର, (କେପିଏନ୍ଏସ୍) : ଲୋକକଳାର ସମୃଦ୍ଧ କ୍ଷେତ୍ର ହେଉଛି ବଲାଙ୍ଗିର । ଅଞ୍ଚଳର କଳାକାରମାନେ ସେହି ଲୋକକଳାକୁ ବଞ୍ଚାଇ ରଖିଛନ୍ତି । ଲୋକକଳା, ସଂସ୍କୃତି, ବାଦ୍ୟ, ନୃତ୍ୟ ଆମକୁ ନୂତନ ଉର୍ଜା ପ୍ରଦାନ କରେ । ଏହି ଉର୍ଜା କ୍ଷେତ୍ର ବଲାଙ୍ଗିରର ସ୍ଥିତି ବଜାୟ ରହୁ, କାରଣ ପାରମ୍ପରିକ ଲୋକକଳା ହିଁ ଆମର ପରିଚୟ ବୋଲି ଆଜି ବଲାଙ୍ଗିରର ଐତିହାସିକ କୋଶଲ କଳାମଣ୍ଡଳ ପଡିଆରେ ଆୟୋଜିତ ନବମ ଲୋକକଳା ଉତ୍ସବ ୨୦୨୬ର ଦ୍ଵିତୀୟ ସନ୍ଧ୍ୟାର ସାଂସ୍କୃତିକ ସଭାରେ ଆହ୍ୱାନ ଦେଇଛନ୍ତି ଅତିଥିମାନେ । ବଲାଙ୍ଗିରର ଦୁଲ୍ଦୁଲି କଳାପରିଷଦ ତରଫରୁ ଆୟୋଜିତ ଏହି ଜାତୀୟସ୍ତରର ଉତ୍ସବରେ ଲୋକକଳାର ବିଭିନ୍ନ ସ୍ୱରୂପ ପ୍ରଦର୍ଶନ ଅବସରରେ ଏହିମତ ପ୍ରକାଶ ପାଇଛି । ଦୁଲ୍ଦୁଲି କଳାପରିଷଦର ସଭାପତି ଅନନ୍ତ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ବରେଣ୍ୟ ଅତିଥି ଭାବେ ବରଗଡ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ମୁଖ୍ୟ ପୃଷ୍ଠପୋଷକ ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ, ରସରାଜ ଅଚ୍ୟୁତ ପୁରୋହିତ, ଏନଏସଡିଏନ ରାମଚନ୍ଦ୍ର ସାହୁ, ଏହି ଅବସରରେ ଅତିଥିମାନେ ନବମ ଲୋକକଳା ଉତ୍ସବର ଦ୍ଵିତୀୟ ଦିନରେ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ପୂଜା ଅର୍ଚ୍ଚନା କରି ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକକଳାର ଅନନ୍ୟ ଶିଳ୍ପୀ, କଣ୍ଠଶିଳ୍ପୀ ପଦ୍ମିନୀ ଦୋରା, ଶାଶ୍ୱତ କୁମାର ତ୍ରିପାଠୀ, ଲୋକ ଗୀତ ଶିଳ୍ପୀ କାଳୀ ଚରଣ ବାଗ ଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରିଥିଲେ ଅତିଥି ମାନେ । ସାଂସ୍କୃତିକ ସଭାକୁ ପରିଚାଳନା କରିଥିଲେ ସନ୍ଦୀପ କୁମାର କୁଅଁର । ପରେ ପରେ ଅର୍ଜୁନ ସାହୁ, ବୀରେନ୍ଦ୍ର ପାଣ୍ଡେ, ପଙ୍କଜିନୀ ପୋଢ଼, ଲୋପାମୁଦ୍ରା ମିଶ୍ରଙ୍କ ସଂଯୋଜନାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସାଂସ୍କୃତିକ ଦଳ ବିହୁ, ଘୁଡକା, ଢାପ, ଛଉ, କଂସ ଦରବାର, ସଂକୀର୍ତ୍ତନ ଓ ଅନ୍ୟ ନୃତ୍ୟ ପରିବେଷଣ କରିଥିଲେ । ସନ୍ଧ୍ୟାରେ ଆକାଶବାଣୀ ଓ ଦୂରଦର୍ଶନ କଳାକାରମାନେ ଲୋକ ସଂଗୀତ ପରିବେଷଣ କରିଥିଲେ ।