jayashree

ହାତୀ ନଦୀରେ କୃତ୍ରିମ ବନ୍ୟା : ଅଧିକ ବିଜୁଳି ଉତ୍ପାଦନର ଲକ୍ଷ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀରୁ ରବି ଜଳ ସେଚନ ସମାପ୍ତ ହେବା ପରେ ମଧ୍ୟ ଓଡିଶା ଜଳ ବିଦ୍ୟୁତ ନିଗମ ଅଧିକ ପରିମାଣରେ ବିଜୁଳି ଉତ୍ପାଦନ କରି ଜଳ ଭଣ୍ଡାରର ସଞ୍ଚିତ ଜଳକୁ ଅପଚୟ କରି ହାତୀ ନଦୀରେ କୃତ୍ରିମ ବନ୍ୟା ସୃଷ୍ଟି କରାଯାଉଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସୁଛି । ସୂଚନାରୁ ପ୍ରକାଶ ଯେ, ଇନ୍ଦ୍ରାବତୀ ଜଳ ଭଣ୍ଡାରର ସର୍ବୋଚ୍ଚ ସୀମା ୬୪୨ ମିଟର ଅର୍ଥାତ ୧,୪୮, ୫୫୦ ହେକ୍ଟର ମିଟର ରହିଥିବା ବେଳେ ଗତ ୧୭/୫ରେ ରବି ଜଳ ସେଚନ ବନ୍ଦ ହେବା ପରେ ଜଳ ପତ୍ତନ ୬୩୧.୭୧ମିଟର ଅର୍ଥାତ ୪୬, ୬୫୯ହେକ୍ଟର ମିଟରକୁ ଖସି ୩୧.୪୧ ପ୍ରତିଶତରେ ପହଞ୍ଚିଥିଲା । ଯାହାକି ଡେଡ ଷ୍ଟୋରେଜ ଲେବେଲରୁ ଛଅ ମିଟର ଅଧିକ । ଏହି ପାଣିକୁ ସାମାନ୍ୟ ବିଦ୍ୟୁତ ଉତ୍ପାଦନ ସହିତ ଗଚ୍ଛିତ ହୋଇ ରହି ପାରିଥିଲେ ଆଗାମୀ ଖରିଫ ପାଇଁ ଆବଶ୍ୟକ ଥିବା ୧.୧୮ଲକ୍ଷ ହେକ୍ଟର ଜମିରେ ଅବାଧ ଜଳ ସେଚନ ପାଇଁ ବହୁତ ବଡ଼ ସହାୟକ ହୋଇ ପାରନ୍ତା ବୋଲି ଆଲୋଚନା ହେଉଛି । ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାର ଏକ ସମ୍ମାନ ଜନକ ସ୍ଥିତିରେ ରହିଥିବା ବେଳେ ମୌସୁମୀ ଆକଳନ ସ୍ଵାଭାବିକ ବର୍ଷାରୁ କମ ହେବାର ଆଶଙ୍କା କରାଯାଉଥିବା ବେଳେ ଇନ୍ଦ୍ରାବତୀର ଗଚ୍ଛିତ ଜଳରାଶି ତିନି ମାସର ଜଳ ସେଚନକୁ ସମ୍ଭାଳି ପାରନ୍ତା ବୋଲି ଆଲୋଚନା ହେଉଛି । କିନ୍ତୁ କୃଷିକ୍ଷେତ୍ରକୁ ଅଗ୍ରାଧିକାର ଦେବାର ଲକ୍ଷ ରଖିଥିବା ଇନ୍ଦ୍ରାବତୀ ଉପରେ କଳାହାଣ୍ଡି ଜିଲ୍ଲାର ଆଠଟି ବ୍ଲକ ନିର୍ଭରଶୀଳ ରହିଥିବା ବେଳେ ଜଳ ସେଚନର ଅବଧି ନ ଥାଇ ଦୈନିକ ପ୍ରାୟ ୧୦୦ କୁମେକ୍ସ ଜଳ ଖର୍ଚ୍ଚ କରି ହାରାହାରି ୩୦୦ ମେଗା ୱାଟ ବିଦ୍ୟୁତ୍ ଉତ୍ପାଦନ କେତେ ସମିଚୀନ ବୋଲି ପ୍ରଶ୍ନ ଉଠୁଛି । ହାତୀ ନଦୀରେ ପ୍ରବାହିତ ହେଉଥିବା ଜଳରାଶିକୁ ଦେଖି ଏହା ହାତୀ ନଦୀରେ କୃତ୍ରିମ ବନ୍ୟା ଚାଲିଛି କି ବୋଲି ଆଲୋଚନା ହେଉଛି । କଳାହାଣ୍ଡି ଜିଲ୍ଲାର କୃଷି ଓ କୃଷକଙ୍କୁ ସୁରକ୍ଷିତ ରଖିବା ପାଇଁ ଅଳ୍ପ ବିଜୁଳି ଉତ୍ପାଦନ କରି କଳାହାଣ୍ଡିର ଜୀବନ ରେଖା ବୋଲାଉ ଥିବା ଇନ୍ଦ୍ରାବତୀର ଜଳରାଶିକୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବୀ ହେଉଛି । ଏ ସମ୍ପର୍କରେ ଓଏଚ୍‌ପିସିର ମତାମତ ମିଳି ପାରିନଥିଲା ।

Leave A Reply

Your email address will not be published.