
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱଚ୍ଛତା ହିଁ ସେବା ତଥା ସମାଜ ପ୍ରତି ସବୁ ନାଗରିକଙ୍କ ରହିଥିବା କର୍ତ୍ତବ୍ୟକୁ ମନେ ପକାଇବାକୁ ଯାଇ ଅକ୍ଷୟ ତୃତୀୟା ପୂର୍ବରୁ କୁନିକୁନି ଛାତ୍ରଛାତ୍ରୀ ଛତ୍ରପୁରର ସାଇ ନଗର ପାର୍କରେ ସ୍ୱଚ୍ଛତା ଅଭିଯାନ କରି ଏକ ନିଆରା ବାର୍ତ୍ତା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ତାରାତାରିଣୀ ଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେବା ପ୍ରତିନିଧି ସଙ୍ଗଠନର ସମାଜସେବୀ ମନୋଜ କୁମାର ମିଶ୍ର ଓ ଆଇ.ଆର.ଇରେ କାର୍ଯ୍ୟରତ ଟୁଟୁ ନାୟକ ସମାଜକୁ ଏକ ନିଆରା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଅକ୍ଷୟ ତୃତୀୟା ପୂର୍ବରୁ କୁନିକୁନି ଛାତ୍ରଛାତ୍ରୀଙ୍କୁ ନେଇ ସକାଳ ୭ ଘଟିକାରୁ ୧୦ ଘଟିକା ଯାଏଁ ସାଇନଗର ପାର୍କରେ ଏକ ସଫେଇ ଅଭିଯାନ କରି ସେହି ପାର୍କରେ ପଡିଥିବା ପ୍ଲାଷ୍ଟିକ ବୋତଲ, ଖାଇବା ପ୍ୟାକେଟ ତଥା ଅନ୍ୟ ଅଳିଆ ଆବର୍ଜନାକୁ ପିଲାଙ୍କ ସହ ମିଶି ସଫା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରିୟଙ୍କା, ଶୁଭଶ୍ରୀ, ସମୀର, ଶ୍ରାବଣୀ ପ୍ରମୁଖ ସାହାଯ୍ୟ ସହଯୋଗର ହାତ ବଢାଇଥିଲେ । ଭବିଷ୍ୟତରେ ବି ଏ ଭଳି କାର୍ଯ୍ୟକ୍ରମ ସମସ୍ତ ସ୍ଥାନରେ ଜାରି ରହିବା ସହ ସମସ୍ତଙ୍କୁ ସ୍ୱଚ୍ଛତା ଉପରେ ସଚେତନ କରାଯିବା ନେଇ ଶ୍ରୀ ମିଶ୍ର ସୂଚନା ଦେବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତମ ନାଗରିକ ହେବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ ।