
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଝିଙ୍କିଡୁଙ୍ଗୁରି ଗ୍ରାମରେ ବିଦ୍ୟୁତ ଟ୍ରାନ୍ସଫର୍ମର ବର୍ଷବର୍ଷ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି । ବିପଦପୂର୍ଣ୍ଣ ଏବଂ ମୁକୁଳା ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପଡିରହିଥିବା ନେଇ ବାରମ୍ବାର ବିଭାଗୀୟ କତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କେହି ଦୃଷ୍ଟି ଦେଉ ନାହାନ୍ତି । ଗ୍ରାମ ବସ୍ତିକୁ ଯିବାର ଛକ ନିକଟରେ ରାସ୍ତା ମଝିରେ ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ଟ୍ରାନ୍ସଫର୍ମର ବର୍ଷ ବର୍ଷ ଧରି ରହିଥିବା ବେଳେ ଗ୍ରାମବାସୀ ବିଭିନ୍ନ ସମୟରେ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ କାହାରି ନଜର ପଡୁନାହିଁ । ଛକ ମଝିରେ ମୁକୁଳା ଅବସ୍ଥାରେ ରହିଥିବା ଟ୍ରାନ୍ସଫର୍ମର ଯୋଗୁଁ ଅଘଟଣ ଘଟିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏହି ମୁଖ୍ୟ ରାସ୍ତା ଦେଇ ଗ୍ରାମବାସୀ ସବୁବେଳେ ଯାତାୟତ କରିଥାନ୍ତି । ଏପରିକି ଅତି ନିକଟରେ ବିଦ୍ୟାଳୟ ଥିବାରୁ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ରାସ୍ତା ଦେଇ ଯାଇଥାନ୍ତି । ଗୋରୁଗାଈ ଏବଂ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ବିଦ୍ୟୁତ୍ ବିଭାଗ ପକ୍ଷରୁ ତୁରନ୍ତ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ହେଉଛି ।