ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ପକ୍ଷ ପାଳନର ଦ୍ୱାଦଶ ତମ ଦିବସରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ସାହିତ୍ୟ ଚର୍ଚ୍ଚା, ବରପୁତ୍ରଙ୍କ ସ୍ମୃତିଚାରଣ ପୂର୍ବକ ତାଙ୍କରି ମହନୀୟ ଅବଦାନ ସମ୍ପର୍କରେ ଆଲୋଚନାଚକ୍ର, କବିତା ଆସର ଆଦି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଜିଲ୍ଲାପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ସାରସ୍ଵତ ସମାବେଶରେ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଅବିଭକ୍ତ ଗଞ୍ଜାମର ବରପୁତ୍ରମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ବରେଣ୍ୟ ଅତିଥି, ଆଲୋଚକ, ଗବେଷକ, ବିଦ୍ୱାନ୍ ବ୍ୟକ୍ତି ବିଶେଷ୍ୟଗଣ ଯୋଗଦେଇ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କ ଓଡ଼ିଆ ସାହିତ୍ୟ ଜଗତକୁ ଦେଇଥିବା ମହତ୍ତ୍ୱପୂର୍ଣ୍ଣ ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ଆଲୋକପାତ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡିଶାର ବରପୁତ୍ରମାନଙ୍କର ତ୍ୟାଗ ଓ ତାଙ୍କରି ବଳିଷ୍ଠ ଅବଦାନ ଏବଂ ବଳିଦାନ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ସ୍ମୃତିଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେରକେଟ୍ଟା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତୀ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସାହିତ୍ୟିକ, କବି ଓ କବିୟତ୍ରୀମାନେ ଯୋଗ ଦେଇ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଛତ୍ରପୁର ସାହିତ୍ୟ ସଂସଦର ସଭାପତି ତଥା ଆଇନଜ୍ଞ ବ୍ରଜ ମୋହନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋନା ଚକ୍ରରେ ଓଡ଼ିଶାର ବରପୁତ୍ର ମାନଙ୍କ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ସାଧନା ଓ କୃତିତ୍ୱ ବିଷୟରେ ଡ଼ଃ.ଅନନ୍ତ ରାମ କର (କୌଣ୍ଡିନ୍ୟ), କବିସୂର୍ଯ୍ୟ ବଳଦେବ ରଥଙ୍କ କବିତା ଓ ଭକ୍ତିମୟ ରଚନା ବିଷୟରେ ହରେକୃଷ୍ଣ ପଣ୍ଡା ମତବ୍ୟକ୍ତ କରିଥିଲେ । ସେହିପରି ଖଲ୍ଲିକୋଟ୍ ରାଜା ହରିହର ମର୍ଦ୍ଦରାଜ ଦେଓଙ୍କ ଶାସନ କାଳରେ ତାଙ୍କରି ପ୍ରଜାଙ୍କ ହିତ ସାଧନ ନିମନ୍ତେ ରହିଥିବା ବଳିଷ୍ଠ ଅବଦାନ ସମ୍ପର୍କରେ ଡ଼ଃ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିନାରାୟଣ ଦେବଙ୍କ ଐତିହାସିକ ଭୂମିକା ଉପରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ସବିଶେଷ ତଥ୍ୟ ଉପରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ସେହିପରି ସଂଗ୍ରାମୀ ଚକରା ବିଷୋୟୀ/ଦୋରା ବିଷୋୟୀଙ୍କ ବୀରତ୍ଵ ସାହସ ଓ ଦେଶପ୍ରେମ ଜାଗ୍ରତ କରିବା କରିଥିବା ସଂଗ୍ରାମ ଉପରେ ଡ଼ଃ. ପ୍ରଦୀପ ପଟ୍ଟନାୟକ ଓ ଜ୍ୟୋତିଷଶାସ୍ତ୍ର ବିଶାରଦ ପଣ୍ତିତ ବାଇକୋଳି ମହାପାତ୍ରଙ୍କ ଜ୍ଞାନ ଓ ସାହିତ୍ୟକୃତୀରେ ଅବଦାନ ସମ୍ପର୍କରେ ଡ଼ଃ. ଦ୍ୱାରିକାନାଥ ମହାରଣା ଉପସ୍ଥାପନା କରିଥିଲେ । ଗଞ୍ଜାମର ଇତିହାସ ଓଡ଼ିଆ ଭାଷା ଆନ୍ଦୋଳନରେ ଗଞ୍ଜାମର ଭୂମିକା ସମ୍ପର୍କରେ ପ୍ରାକ୍ତନ୍ ବିଧାୟକ ଅଶୋକ କୁମାର ଚୌଧୁରୀ ଆଲୋକପାତ କରିଥିଲେ । ଏହି ଅବସରରେ ବହୁ କବି ଓ କବିୟତ୍ରୀମାନଙ୍କ ଦ୍ୱାରା ଏହି ଅବସରରେ କବିତା ପାଠ କରାଯାଇଥିଲା । କାହ୍ନୁ ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ଛତ୍ରପୁର ସାହିତ୍ୟ ସଂସଦର ସମ୍ପାଦକ ଦିଲ୍ଲୀପ କୁମାର ପଲେଇ ଧନ୍ୟବାଦ୍ ଜଣାଇଥିଲେ ।
Next Post