ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ୫ ମାସ ହେଲା ବି.ଇ.ଓ. ପଦବୀ ଖାଲି ପଡିଛି । ଯାହାଫଳରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ପ୍ରକାଶ ଯେ, ଗତ ୫ ମାସ ହେଲା ବ୍ଲକ ଶିକ୍ଷାଧୂକାରୀ ପ୍ରମୋଦ କୁମାର ମଲ୍ଲିକ ଅବସର ନେଇଥିବା ବେଳେ ତାଙ୍କ ସ୍ଥାନରେ ଆଉ କାହାକୁ ମଧ୍ୟ ନୂଆ ନିଯୁକ୍ତି ମିଳିନି । ଫିରିଙ୍ଗିଆ ବ୍ଲକ ଶିକ୍ଷାକାରୀ ଆଲୋକ ପଧାନଙ୍କୁ ଏଠାରେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ସତ କିନ୍ତୁ ଦୁଇ ଦୁଇଟି ବ୍ଲକର ଦାୟିତ୍ଵକୁ ଏକ କାଳୀନ ସଂପନ୍ନ କରିବା ତାଙ୍କ ପକ୍ଷେ ସମ୍ଭବ ପର ହୋଇ ପାରୁନି । ବେଳେ ବେଳେ ସେ ଏଠାକୁ ଆସୁଥିବା ବେଳେ କେତେକ କ୍ଷେତ୍ରରେ ଜରୁରୀ ଫାଇଲରେ ଦସ୍ତଖତ କରିବା ପାଇଁ କର୍ମଚାରୀଙ୍କୁ ଫିରିଙ୍ଗିଆ ଯିବାକୁ ପଡ଼ୁଛି ବୋଲି ଜଣାପଡିଛି । ଫଳରେ ମୋଟା ମୋଟି ଭାବେ କ. ନୂଆଗାଁ ବିଇଓ ଅଫିସ୍ କାମଚଳା ନୀତିରେ ପରିଚାଳିତ ହେଉଛି । ସେହିପରି ଏଠାରେ ଦୁଇ ଏବିଇଓ ପଦବୀ ମଧ୍ୟ ଖାଲି ପଡ଼ିଛି । ୪ ବର୍ଷ ତଳେ ଜଣେ ଏବିଇଓଙ୍କ ବଦଳି ହୋଇଥିବା ବେଳେ ଗତ ଏକ ବର୍ଷ ହେଲା ଏବିଇଓ ସୁରେନ୍ଦ୍ର ଦାସ ଅବସର ଗ୍ରହଣ କରିଛନ୍ତି । ଏବେ କେବଳ ଦୁଇ ଜଣ ଏବିଇଓଙ୍କ ଉପରେ କ.ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଭାର । ସେବେ ଠାରୁ ମାତ୍ର ଦୁଇ ଜଣ ଏବିଇଓ ଚୈତନ୍ୟ କହଁର ଓ ହରିହର ମଲ୍ଲିକ ଦାୟିତ୍ଵରେ ରହି କାମ ତୁଳାଉଛନ୍ତି । ସେହିପରି କାର୍ଯ୍ୟାଳୟରେ ଜଣେ ଆକାଉଣ୍ଟାଣ୍ଟ ପଦ ମଧ୍ୟ ଖାଲି ପଡ଼ିଛି । ତେବେ ଖାଲି ପଦବୀ ପୂରଣ ହୋଇ ନ ପାରିବା, ରାଜ୍ୟ ଶିକ୍ଷା ବିଭାଗର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ. ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ ଅଧୀନରେ ମୋଟ ୧୩୬ଟି ବିଦ୍ୟାଳୟ ରହିଛି । ସେଥି ମଧ୍ୟରୁ ୭୪ଟି ପ୍ରାଥମିକ ବିଦ୍ୟାଳୟ, ୪୧ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୬ଟି ଉଚ୍ଚ ବିଦ୍ୟାଳୟ ଓ ସେବାଶ୍ରମ ବିଦ୍ୟାଳୟ ରହିଥିବା ବେଳେ ୩ଟି ଘରୋଇ ବିଦ୍ୟାଳୟ ମଧ୍ୟ ରହିଛି । ବିଭାଗୀୟ ଅଧିକାରୀ ମାନଙ୍କ ପଦବୀ ଖାଲିପଡ଼ିଥିବା ହେତୁ ପରିଚାଳନାରେ ଘୋର ବିଭ୍ରାଟ ଦେଖିବାକୁ ମିଳିଛି । ଶିକ୍ଷା ବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଚଳିତମାସ ଠାରୁ ଶିକ୍ଷାବର୍ଷ ଆରମ୍ଭ ହେଉଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପଦବୀ ପୂରଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି ।