ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ

  • “ନୈତିକ ମୂଲ୍ୟବୋଧ ମନୁଷ୍ୟକୁ ସଫଳତା ଓ ସମ୍ମାନର ଶିଖରକୁ ନେଇଯାଏ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡାସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା, ବରିଷ୍ଠ ଶିକ୍ଷୟିତ୍ରୀ ନୂତନ ନାୟକ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ନୈତିକ ମୂଲ୍ୟବୋଧର ଅଭାବ ଦେଖାଦେଇଛି, ଯାହାକୁ ଶିକ୍ଷା ମାଧ୍ୟମରେ ପୂରଣ କରିବା ଆବଶ୍ୟକ । ଛାତ୍ରୀମାନେ ଯଦି ଛୋଟ ବେଳୁ ଭଲ ଅଭ୍ୟାସ ଓ ଉଚ୍ଚ ଆଦର୍ଶ ଅନୁସରଣ କରିବେ, ତେବେ ସେମାନେ ଭବିଷ୍ୟତରେ ସମାଜର ଉନ୍ନତିରେ ମୂଳ ଭୂମିକା ନେବେ ବୋଲି କହିବା ସହ ନୈତିକ ମୂଲ୍ୟବୋଧ ମନୁଷ୍ୟକୁ ସଫଳତା ଓ ସମ୍ମାନର ଶିଖରକୁ ନେଇଯାଏ ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭୋଇ ନିଜ ବକ୍ତବ୍ୟରେ ଆଜିର ସମୟରେ ଝିଅମାନଙ୍କ ଶିକ୍ଷା ଓ ସଶକ୍ତିକରଣ ବହୁତ ଆବଶ୍ୟକ । ଛାତ୍ରୀମାନେ ଆତ୍ମବିଶ୍ୱାସ, ପରିଶ୍ରମ ଓ ଶୃଙ୍ଖଳାର ସହିତ ଆଗକୁ ବଢିଲେ ନିଶ୍ଚିତ ଭାବେ ଜୀବନରେ ଉଚ୍ଚ ସଫଳତା ଅର୍ଜନ କରିପାରିବେ ବୋଲି କହିଥିଲେ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ଶିକ୍ଷା ସହିତ ସଂସ୍କାର, ନୈତିକତା ଓ ସମାଜ ପ୍ରତି ଦାୟିତ୍ୱବୋଧ ଗଢି ଉଠିବା ଦରକାର । ଏହିପରି ଗୁଣ ଏକ ଛାତ୍ରୀକୁ ସଫଳ ନାଗରିକ ଭାବେ ପରିଚିତ କରେ ବୋଲି କହିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଶ୍ରେଷ୍ଠ ଛାତ୍ରୀ ରୂପେ ଦଶମ ଶ୍ରେଣୀ ଛାତ୍ରୀ ଅଙ୍କିତା ବିଶ୍ୱାଳ, ଶ୍ରେଷ୍ଠ ଏନସିସି କେଡେଟ ଅର୍ପିତା ମନହିରା, ଶ୍ରେଷ୍ଠ ଗାଇଡ଼ ମନୀଷା ପାଣିଗ୍ରାହୀ, ଜୁନିଅର ରେଡକ୍ରସର ଶ୍ରେଷ୍ଠ ଜୁନିଅର ଭାବେ ଦମୟନ୍ତୀ ଖୁଆସ, ଶ୍ରେଷ୍ଠ ଶୃଙ୍ଖଳିତ ଛାତ୍ରୀ ରୂପେ ପ୍ରିୟଙ୍କା ରଣାଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷୟିତ୍ରୀ ସବିତା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ସୁରେଶ ବାରିକ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ନୂତନ ନାୟକ ଧନ୍ୟବାଦ ଦେଇଥିଲେ । ସଭାପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.