ଓଡ଼ିଆ ପକ୍ଷର ନବମ ଦିବସରେ “ଆସ ବହିଟିଏ କିଣିବା” ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଅପ୍ରେଲ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସ ଅବସରରେ ସାରା ରାଜ୍ୟରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଆଜିର ଦିବସଟି ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟାମାନଙ୍କ ପାଇଁ ସମର୍ପିତ ଥିଲା । ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଛି । ସାରସ୍ୱତ ସାଧାକମାନଙ୍କ ଦ୍ୱାରା ଲିଖିତ ପୁସ୍ତକକୁ କିଣିବା, ପଢ଼ିବା ଓ ଅନ୍ୟମାନଙ୍କୁ ଉପହାର ଦେବା ଲକ୍ଷ୍ୟରେ ଆଜି “ଆସ ବହିଟିଏ କିଣିବା” ଅଭିଯାନକୁ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅସ୍ଥାୟୀ ପୁସ୍ତକ ବିକ୍ରୟ କେନ୍ଦ୍ର ତଥା ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡଃ. ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ ଓଡ଼ିଆ ପକ୍ଷ ଏବଂ ଆଜି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି କହିଥିଲେ ଯେ ଫୁଲତୋଡ଼ା ଅସ୍ଥାୟୀ କିନ୍ତୁ ପୁସ୍ତକ ଚିରସ୍ଥାୟୀ, ତେଣୁ ପୁଲତୋଡ଼ା ଉପହାର ନ ଦେଇ ବିଭିନ୍ନ ଅବସରରେ ପୁସ୍ତକ ଉପହାର ଦିଅନ୍ତୁ । ସେହିପରି ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କଟା ମଧ୍ୟ ଯୋଗଦେଇ ଜୀବନରେ ଭଲ ପୁସ୍ତକର ମହତ୍ୱ ଉପରେ କହିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର କସ୍ତୁରୀ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ଅନେକ ଅଧିକାରୀ, କର୍ମଚାରୀ ଓ ସାମ୍ବାଦିକମାନେ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ସମସ୍ତେ ନିଜ ପାଇଁ ମନଲାଖି ବହିଟିଏ କିଣିଥିଲେ । ଏଥିସହିତ ବହି କିଣିବା ଓ ପଢ଼ିବାର ସେଲ୍ଫି ଉଠାଇ ଏହାକୁ ଅତି ଉତ୍ସାହର ସହିତ ଓଡ଼ିଆ ପକ୍ଷର ୱେବସାଇଟ (www.odiapakhya.com)ରେ ଅପଲୋଡ଼ କରିଥିଲେ। ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନ ସମ୍ବନ୍ଧରେ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହିତ ସାହିତ୍ୟ ସର୍ଜନାକୁ ପ୍ରୋତ୍ସାହନ ଦେବା ଦିଗରେ ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନକୁ ସଫଳତାର ସହ ପାଳନ କରାଯାଇଥିଲା ।

Leave A Reply

Your email address will not be published.