ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଆ ପକ୍ଷ ପାଳନ ୨୦୨୬ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଶୁଭ ଉଦଘାଟନ କରିଥିଲେ । ଜିଲ୍ଲାପାଳ ଡ. ସାହୁ ସଚେତନତା ସଭାରେ କହିଥିଲେ ଯେ, ଓଡ଼ିଆ ପକ୍ଷ ଆମ ଓଡ଼ିଆଙ୍କ ପରିଚୟ ଓ ଗୌରବର ପ୍ରତୀକ । ଆଧୁନିକ ଚିକିତ୍ସା ବିଜ୍ଞାନ ଅନେକ ଦୂର ଅଗ୍ରଗତି କରିଥିବା ସତ୍ତ୍ୱେ ଆର୍ଟିଫିସିଆଲ୍ ହାର୍ଟ ସମ୍ଭବ ହେଲେ ମଧ୍ୟ ଆର୍ଟିଫିସିଆଲ୍ ବ୍ଲଡ୍ ଉପଲବ୍ଧ ନୁହେଁ ତେଣୁ ରକ୍ତଦାନର ଗୁରୁତ୍ୱ ଅଧିକ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାସଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଅନ୍ୟତମ ଅତିଥିଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ଦୁର୍ଗାଦତ୍ତ ଦାଶ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା. ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା. ପଦ୍ମହଂସା ଦୋରା, ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଡା. ମାନସ ରଞ୍ଜନ ଦାଶ, ଡିପିଏମ୍ (ଏନଏଚଏମ୍) ରୂପକ କୁମାର ମହାପାତ୍ର ଓ ଏଡିପିଏଚସିଓ ବୃନ୍ଦାବନ ସାହୁ ଉପସ୍ଥିତ ଥିଲେ । ସେମାନେ ରକ୍ତଦାନ ଦ୍ୱାରା ଜୀବନ ବଞ୍ଚାଇବା ସହ ନିଜ ସ୍ୱାସ୍ଥ୍ୟ ସୁରକ୍ଷିତ ରହେ ବୋଲି ମତ ପ୍ରକାଶ କରିଥିଲେ । ସୋନପୁର ରକ୍ତ କେନ୍ଦ୍ରରେ ୧୦ ୟୁନିଟ୍ ଓ ବୀରମହାରାଜପୁର କେନ୍ଦ୍ରରେ ୧୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟରୁ ଅଲିମୁଲ ଇସଲାମ, ଶିବ ଶଙ୍କର ନାଏକ, ସଞ୍ଜୟ କୁମାର ପ୍ରଧାନ ଓ ନର୍ସିଂ ଛାତ୍ରୀମାନେ ସକ୍ରିୟ ଭାଗ ନେଇ ଯୁବପିଢ଼ୀଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରିଥିଲେ । ଶେଷରେ ଉମାଶଙ୍କର ନାଗ ଧନ୍ୟବାଦ ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀମାନେ ପରିଚାଳନା କରିଥିଲେ ।