ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ

  • ଖେଳକୁଦ ସହିତ ମନଦେଇ ପାଠ ପଢିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ପିଲାମାନଙ୍କୁ ଦେଲେ ପରାମର୍ଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ଭାଷା ଓ ଭୂଷଣ, ସୃଜନ ଓ ସାହିତ୍ୟ, ଜୀବନ ଓ ଜାଗତିକ ଚେତନା, ପ୍ରଲୁବ୍ଧ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସଂସ୍କୃତିର ସରଳ ଓ ସତୀର୍ଥ ସମାହାର ହେଉଛି ବର୍ଣ୍ଣବୋଧ । ଏହା ମଧ୍ୟରେ ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଗୋଟିଏ ଶତାବ୍ଦୀ ଅତିକ୍ରମ କରିସାରିଛି । କିନ୍ତୁ ବର୍ଣ୍ଣବୋଧରେ ସନ୍ନିବିଷ୍ଟ ଭାଷା, ଭୂଷଣ ଓ ଭାବନା ଆଜି ମଧ୍ୟ ପ୍ରତି ଓଡ଼ିଆ ଚିନ୍ତା ଚେତନାରେ ପରିପୂର୍ଣ୍ଣ । ‘ଓଡ଼ିଆ ପକ୍ଷ ୨୦୨୬’ ଅବସରରେ ଶିଶୁମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ବର୍ଣ୍ଣବୋଧ ପ୍ରତି ଅଧିକରୁ ଅଧିକ ଆଗ୍ରହ ସୃଷ୍ଟି କରିବା ଆଜି ସ୍ଥାନୀୟ ପିଏମଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ‘ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ବର୍ଣ୍ଣବୋଧ ଓ ବିଭିନ୍ନ ଶିଶୁ ଉପଯୋଗୀ ପୁସ୍ତିକା ବଣ୍ଟନ କରିବା, ଖେଳକୁଦ ସହିତ ମନଦେଇ ପାଠ ପଢିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ବର୍ଣ୍ଣବୋଧ ସହିତ ମହାପୁରୁଷ ମାନଙ୍କର ଜୀବନୀ ଓ ନୀତିଶିକ୍ଷା ସମ୍ବଳିତ ପୁସ୍ତକ ଓ ପତ୍ରିକା ପଢିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଡଃ. ପ୍ରଭାତୀ ମହାପାତ୍ର, ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.