କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆର ବିଭିନ୍ନ ଚର୍ଚ୍ଚରେ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ପର୍ବ ବହୁ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ସ୍ଥାନୀୟ କାଥଲିକ୍ ଚର୍ଚ୍ଚରେ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଦିବ୍ୟ ଯଜ୍ଞର ଆୟୋଜନ ହୋଇଯାଇଥିଲା । ମଧ୍ୟ ରାତ୍ରି ଏବଂ ସକାଳୁ ଦିବ୍ୟ ଯଜ୍ଞର ଆୟୋଜନରେ ପବିତ୍ର ବାଇବେଲ ପାଠ କରାଯାଇ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଧର୍ମାଞ୍ଚଳର ଟିଆଙ୍ଗିଆ, ମଣ୍ଡାକିଆ, ସୁଗଡବାଡି଼ ଚର୍ଚ୍ଚରେ ସହ ଯାଜକ ପୁରୁଷୋତ୍ତମ ନାୟକ, ଦିବ୍ୟ ରଞ୍ଜନ ଦିଗାଳ, ମାଇକେଲ ବେହେରା, ଜର୍ଜ ବଡ଼ସେଠ୍ ଦିବ୍ୟଯଜ୍ଞ କରିଥିଲେ । କାଥଲିକ୍ ସାଂସ୍କୃତିକ କମିଟି ଗଠନର ୨୫ ବର୍ଷ ‘ରଜତ ଜୟନ୍ତୀ’ ପାଳନ ଅବସରରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଇକିଆ ବିଜୟ ହାଇସ୍କୁଲ ଖେଳ ପଡିଆରେ ସନ୍ଧ୍ୟାରେ ସ୍ଥାନୀୟ ଯୁବ ଗୋଷ୍ଠୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଯାଜକ, ସେବା ଭଗ୍ନି ସମୁହ ଯୋଗ ଦେଇଥିଲେ । ଅତିଥି ଭାବେ କଟକ- ଭୁବନେଶ୍ୱର ଧର୍ମାଞ୍ଚଳ ମହାଧିକ୍ଷ ସହ ବିଶପ ରବିନ୍ଦ୍ର ରଣସିଂହ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରି ଯୁବ ଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ । ମଞ୍ଚାସୀନ ଅତିଥି ଯାଜକ, ସେବା ଭଗ୍ନି ସମୁହ, ବରିଷ୍ଠ ନାଗରିକ ଲୋରାନ ସଭା ସୁନ୍ଦରଙ୍କୁ ପୁଷ୍ପ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ କଳାକାର ମାନଙ୍କ ଦ୍ୱାରା ଦୀର୍ଘ ବର୍ଷ ପୁର୍ବରୁ ‘ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ’ ପର୍ବ ନେଇ ଏକ ନାଟକ ‘ସୃଷ୍ଟିର ଅନ୍ତରାଳେ’ ପ୍ରସ୍ତୁତ କରାଯାଇଥିଲା । ଏହାର ନକଲ କରି ବର୍ତ୍ତମାନର ଯୁବପିଢି କଳାକାର ସେମାନଙ୍କ ଦ୍ୱାରା ନିପୁଣ କଳା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ସୁସମାଚାର ଗାୟକ ଅମିତ୍ ପାଣି ଯୋଗଦେଇ ପ୍ରଭୁଙ୍କ ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ଯାଜକ, ସେବା ଭଗ୍ନି ସମୁହ ଉପସ୍ଥିତ ଥିଲେ ।
Next Post