ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଅନାଥ ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ପ୍ରସ୍ତୁତର ସ୍ଥିତି ସମୀକ୍ଷା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚିନ୍ମୟ ସାଗର ଜଣାଇଥିଲେ ଯେ, ମୋଟ ୨୦୨ ଜଣ ଶିଶୁଙ୍କୁ ବିଭିନ୍ନ ସହାୟତା ପ୍ରଦାନ ପାଇଁ ସିଡବ୍ଲ୍ୟୁସି ସମ୍ମୁଖରେ ପ୍ରସ୍ତୁତ କରାଯାଇଛି । ଏପର୍ଯ୍ୟନ୍ତ ଜିଲ୍ଲାରେ ୩ ଜଣ ଶିଶୁଙ୍କ ସଫଳତାର ସହ ପୋଷ୍ୟ ଗ୍ରହଣ ସମ୍ପନ୍ନ ହୋଇଛି । ବୈଠକରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଯୋଗ୍ୟ ଲୋକଙ୍କୁ ସରକାରୀ ସୁବିଧା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀଙ୍କୁ ବିଧବା ସର୍ଭେ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ମାଧ୍ୟମରେ ଯୋଗ୍ୟ ବିଧବା ଓ ଅସହାୟ ମା’ମାନଙ୍କୁ ଚିହ୍ନଟ କରି ସରକାରୀ ଯୋଜନାର ସହାୟତା ଯଥାସମୟରେ ପହଞ୍ଚାଯାଇପାରିବ । ଏହାସହ ଜିଲ୍ଲାରେ ପ୍ରବାସରୁ ଫେରିଥିବା ଲୋକମାନଙ୍କ ଅବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏପର୍ଯ୍ୟନ୍ତ ୧୪ ଜଣ ପ୍ରବାସ ଫେରନ୍ତା ବ୍ୟକ୍ତିଙ୍କୁ ଚିହ୍ନଟ କରି ଥଇଥାନ କରାଯାଇଥିବା ବେଳେ, ପ୍ରତ୍ୟେକ ପରିବାରର ଘର ସର୍ଭେ କରି ଆଗାମୀ ସହାୟତା ସୁନିଶ୍ଚିତ କରାଯିବ ବୋଲି ଡିସିପିଓ ଜଣାଇଥିଲେ । ବୈଠକରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଫଣିନ୍ଦମ ସିଂହଦେଓ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଧନେଶ୍ୱର ସେଠୀ, ଡଏସ୍ଏସ୍ଓ ଅନନ୍ତ କୁମାର ହେମ୍ବ୍ରମ, ଜିଲ୍ଲା କଳ୍ୟାଣ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ଶ୍ରମ ଅଧିକାରୀ ଜାସ୍ମିନ ସାହୁ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।