ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସିର୍ତିଗୁଡ଼ା ପଞ୍ଚାୟତ ଗୁଞ୍ଜିଗାଁରେ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହାର୍ଟ ସଂସ୍ଥା ପକ୍ଷରୁ ସଂପାଦକ ପ୍ରମୋଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ବିଭିନ୍ନ ପାରମ୍ପରିକ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ.ନୂଆଗାଁ ବ୍ଲକ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ ଯୋଗଦେଇ ଉତ୍ସବକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏପରି ଖାଦ୍ୟ ଉତ୍ସବ ମାଧ୍ୟମରେ ଗ୍ରାମୀଣ ଅଞ୍ଚଳର ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ହେବା ସହିତ ମହିଳାମାନଙ୍କ ଆର୍ଥିକ ଉନ୍ନତି ହୋଇ ପାରିବ ବୋଲି ବିଡ଼ିଓ କହିଛନ୍ତି । ଏଥି ସହ ବିହନ ସଂଗ୍ରହାଳୟ ମଧ୍ୟ ଉଦ୍ଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ.ନୂଆଗାଁର ଅତିରିକ୍ତ ତହସିଲଦାର ମଧୁସ୍ମିତା ପ୍ରଧାନ, କୃଷି ଅଧିକାରୀ, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ, ସମ୍ୱନ୍ୱିତ ଶିଶୁ ବିକାଶ ଅଧକାରୀ, ସୁପରଭାଇଜରଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ବିଭିନ୍ନ ଅନୁଷ୍ଠାନର ସ୍ୱେଚ୍ଛେସେବୀ ମାନେ ଯୋଗ ଦେଇଥିଲେ । ବିଭିନ୍ନ ଷ୍ଟଲ୍ରେ ଭଳିକି ଭଳି ପିଠା, ମାଣ୍ଡିଆ ପ୍ରସ୍ତୃତ ଖାଦ୍ୟ, ଆଢିଶା, କାକରା, ମିଠା ଓ ପୃଷ୍ଟିକର ପାରମ୍ପାରିକ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା । ଅତିଥିମାନେ ଷ୍ଟଲ୍ ଗୁଡ଼ିକ ପରିଦର୍ଶନ କରି ମହିଳାମାନଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳବାସୀମାନେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଆୟୋଜକଙ୍କ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
Next Post