ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୯୧ତମ ଉତ୍କଳ ଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୯୧ତମ ଉତ୍କଳ ଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ପାଳନ କରାଯିବା ପାଇଁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟିର ସଭାପତି ପ୍ରଣୀତା ଦାସଙ୍କ ଅନୁମୋଦନ କ୍ରମେ ଉକ୍ତଦିନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିରୀକୃତ ହୋଇଛି । ପ୍ରତ୍ୟୁଷରେ ସ୍ଥାନୀୟ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକ ବାଜି ଯନ୍ତ୍ର ଯୋଗେ ସମଗ୍ର ସହରରେ “ବନ୍ଦେ ଉତ୍କଳ ଜନନୀ” ପରିବେଷଣ କରାଯିବା ପାଇଁ ସ୍ଥିରୀକୃତ ହୋଇଥିବା ବେଳେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଓଡ଼ିଶା ଦିବସ ଉପଲକ୍ଷେ ନିଜ ନିଜ ଅନୁଷ୍ଠାନରୁ ବାହାରି ଉତ୍କଳମାତା ଓ ବୀରପୁତ୍ର ମାନଙ୍କର ସ୍ଲୋଗାନ ଦେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ସକାଳ ୭.୦୦ଘ. ସମୟରେ ଟାଉନହଲ୍ ସଭାଗୃହ ପରିସରରେ ସମବେତ ହେବେ । ପ୍ରାତଃ ଘ.୭.୩୦ମି. ସମୟରେ ଓଡ଼ିଶାର ବରପୁତ୍ର ମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବ । ପ୍ରଭାତଫେରି ଓ ସଭାସ୍ଥଳର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଯାନବାହନ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ନିମନ୍ତେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧୂକାରୀଙ୍କୁ ଅନୁରୋଧ କରାଯାଇଛି । ପ୍ରତ୍ୟେକ ବିଦ୍ୟାଳୟରୁ କେବଳ ୧୦ ଜଣ ଛାତ୍ରଛାତ୍ରୀ ଫୁଲମାଳ ସହିତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହିତ ଆସିବେ । ଏଥି ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୁରୋଧ କରାଗଲା । ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ତିନୋଟି ସ୍ତରରେ ଅନୁଷ୍ଠିତ ହେବ । ଯଥା ଉପ-କନିଷ୍ଠ (ପ୍ରଥମରୁ ପଞ୍ଚମ), କନିଷ୍ଠ (ଷଷ୍ଠରୁ ଅଷ୍ଟମ) ଏବଂ ବରିଷ୍ଠ (ନ‌ବମ ଓ ଦଶମ) । ପ୍ରତ୍ୟେକ ସ୍ତର ନିମନ୍ତେ ବିଦ୍ୟାଳୟରୁ ଦୁଇଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ । ଏହି ପ୍ରତିଯୋଗିତା ଚଳିତ ମାସ.୩୦ ତାରିଖ ପୂର୍ବାହ୍ନ ୮ଘ. ସମୟରେ ଟାଉନହଲ୍ ସଭାଗୃହରେ ଅନୁଷ୍ଠିତ ହେବ । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ଶିଶୁଙ୍କର ନାମ ପ୍ରତିଯୋଗିତା ପୂର୍ବରୁ ବିଦ୍ୟାଳୟର ମୁଖ୍ୟଙ୍କ ପ୍ରେରିତ ପତ୍ର ଦ୍ୱାରା ତା.୨୫.୦୩.୨୦୨୬ରିଖ ସୁଦ୍ଧା ପହଞ୍ଚିବା ଆବଶ୍ୟକ ବୋଲି କୁହାଯାଇଛି । ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ମଧ୍ୟ ତିନୋଟି ସ୍ତରରେ ଅନୁଷ୍ଠିତ ହେବ । ଯଥା:- ଉପ-କନିଷ୍ଠ (ପ୍ରଥମରୁ ପଞ୍ଚମ), କନିଷ୍ଠ (ଷଷ୍ଠରୁ ଅଷ୍ଟମ) ଏବଂ ବରିଷ୍ଠ (ନ‌ବମ ଓ ଦଶମ) । ପ୍ରତ୍ୟେକ ସ୍ତର ନିମନ୍ତେ ବିଦ୍ୟାଳୟରୁ ଦୁଇଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ । ଏହା ମଧ୍ୟ ଚଳିତ ମାସ ୩୦ ତାରିଖ ପୂର୍ବାହ୍ନ ୮ଘ. ସମୟରେ ଟାଉନହଲ୍ ସଭାଗୃହରେ ଅନୁଷ୍ଠିତ ହେବ । ବକ୍ତୃତା ପ୍ରତିଯୋଗିତାର ବିଷୟ ୨୯ ତାରିଖ ଦିନ ସଙ୍ଗୀତ ପ୍ରତିଯୋଗିତା ପରେ ଘୋଷଣା କରାଯିବ । କୌତୁକ ପୋଷାକ ପ୍ରତିଯୋଗିତା ୦୧ ତାରିଖ ଦିନ ମାଲ୍ୟାର୍ପଣ ପରେ ପରେ ଗୋଟିଏ ସ୍ତରରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବିଦ୍ୟାଳୟର ମୁଖ୍ୟ କେବଳ ଜଣଙ୍କ ନାମ ସଭା ପୂର୍ବରୁ ଶିବଶଙ୍କର ସମରଥ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧୂକାରୀ, ବାଲିଗୁଡ଼ାଙ୍କୁ ଦାଖଲ କରିବେ । ଏହି କାର୍ଯ୍ୟକ୍ରମକୁ ଉତ୍ସବମୁଖର କରିବା ନିମନ୍ତେ ତିନୋଟି ଦଳଗତ ନୃତ୍ୟ ପରିବେଷଣ କରିବା ପାଇଁ ସ୍ଥିର କରାଯାଇଛି । ଉକ୍ତ ଦିନ ବାଲିଗୁଡ଼ା ସହର, ସଭାଗୃହ ପରିସର ଓ ତା’ ନିକଟବର୍ତ୍ତୀ ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ଏବଂ ସକାଳ ୭.୦୦ଘ. ସମୟରେ ସ୍ଥାନୀୟ ସଭାଗୃହ ସମ୍ମୁଖରେ ପିଇବା ପାଣି ନିମନ୍ତେ ଏକ ଟ୍ୟାଙ୍କର ଯୋଗାଇ ଦେବାକୁ ନିର୍ବାହୀ ଅଧୂକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବାଲିଗୁଡ଼ାଙ୍କୁ ଅନୁରୋଧ କରାଯାଇଛି । ଉତ୍କଳ ଦିବସ ଉପଲକ୍ଷେ “ବନ୍ଦେ ଉତ୍କଳ ଜନନୀ” ଗାନ କରିବା ପାଇଁ ବନବାସୀ ସେବା ସମିତିର ଛାତ୍ରୀଗଣଙ୍କୁ ବାଦ୍ୟଯନ୍ତ୍ର ସହ ପ୍ରେରଣ କରିବାକୁ ସମ୍ପାଦକ, ବନବାସୀ ସେବା ସମିତି, ବାଲିଗୁଡ଼ାଙ୍କୁ ଅନୁରୋଧ କରାଗଲା । ସକାଳ ୭.୦୦ ଘ. ସମୟରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀ, ଜନସାଧାରଣଙ୍କ ସୁବିଧା ପାଇଁ ଏକ ଭ୍ରାମ୍ୟମାଣ ଚିକିତ୍ସାଯାନ ଯୋଗାଇବାକୁ ଉପଖଣ୍ଡ ଚିକିତ୍ସା ଅଧୂକାରୀ, ବାଲିଗୁଡ଼ାଙ୍କୁ ଅନୁରୋଧ କରାଗଲା । କୌତୁକ ପୋଷାକ ପ୍ରତିଯୋଗିତା ପରେ ପରେ ଏକ ସାଧାରଣ ସଭା ସ୍ଥାନୀୟ ସଭାଗୃହ ପରିସରରେ ଅନୁଷ୍ଠିତ ହେବ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବ । ଓଡ଼ିଶା ଦିବସ ଉପଲକ୍ଷେ ସ‌ହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ କୋଠାବାଡ଼ି ମାନଙ୍କରେ ୩୧ ତାରିଖ ସନ୍ଧ୍ୟାରୁ ଓ ଉତ୍କଳ ଦିବସ ଦିନ ସ୍ଵଖର୍ଚ୍ଚରେ ଆଲୋକମାଳ ଓ ଦୀପରେ ସଜ୍ଜିତ କରିବା ପାଇଁ ସମସ୍ତ କାର୍ଯ୍ୟାଳୟ ମୁଖ୍ୟ ଓ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ କରାଗଲା । ଉକ୍ତ ଦିନ ସମସ୍ତେ ହସ୍ତତନ୍ତ ବସ୍ତ୍ର ପରିଧାନ କରିବାକୁ ଅନୁରୋଧ କରାଯାଇଛି । ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ବସ୍‌ଷ୍ଟାଣ୍ଡ ପାଖରେ ଥିବା ଏଲ୍‌ଇଡି ପରଦାରେ ଓଡ଼ିଶା ସମ୍ପର୍କିତ କିଛି ସଙ୍ଗୀତ ପରିବେଷଣ କରିବେ । ମିଶନ ଶକ୍ତି କ୍ୟାଫେରେ ଓଡ଼ିଶା ନିର୍ମିତ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିବେ । ଏଣୁ ଉକ୍ତ ଦିନ ଏହି ଉତ୍ସବଟିକୁ ସର୍ବାଙ୍ଗ ସୁନ୍ଦର ଭାବେ ପାଳନ କରିବା ପାଇଁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟିର ସଭାପତି ପ୍ରଣୀତା ଦାସ ସମସ୍ତଙ୍କ ସହ‌ଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.