ଯାଦବ ସମାଜ ଦ୍ୱାରା ଆୟୋଜିତ ଦୋଳ ଉତ୍ସବରେ ଯୋଗ ଦେଲେ ନରସିଂହ

  • ଦୋଳ ଉତ୍ସବ ଆମ ଭିତରେ ଭାଇଚାରା ଓ ବିକାଶର ବାର୍ତ୍ତା ସଂଚରିତ କରୁ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୋଳ ମହୋତ୍ସବ କେବଳ ବଲାଙ୍ଗିରରେ ନୁହେଁ ସମଗ୍ର ଦେଶରେ ସମସ୍ତ ଜାତି, ଧର୍ମ, ବର୍ଣ୍ଣର ଲୋକେ ଏକତ୍ରିତ ହୋଇ ପାଳନ କରିଥାନ୍ତି । ଯାଦବ ସମାଜ ଏହି ପବିତ୍ର ପର୍ବ ପାଳନର ସୁତ୍ରଧର ସାଜି ଏହି ଉତ୍ସବର ମହତ୍ୱକୁ ବଲାଙ୍ଗିରବାସୀଙ୍କ ମଧ୍ୟରେ ସଂଚାର କରୁଛି । ଏ ଉତ୍ସବ ଅବସରରେ ସମଗ୍ର ଯାଦବ ସମାଜ ସମେତ ବଲାଙ୍ଗିର ଜିଲ୍ଲାବାସୀଙ୍କୁ ମୁଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପବିତ୍ର ଦୋଳ ମହୋତ୍ସବ ଆମ ଅଂଚଳରେ ଭାଇଚାରା ଓ ବିିକାଶର ବାର୍ତ୍ତାକୁ ସଂଚରିତ କରୁ ବୋଲି ଆଜି ପୋରାଂଚଳ ଯାଦବ ମହାସଭା ଦ୍ୱାରା ଆୟୋଜିତ ୩୦ତମ ଦୋଳ ମହୋତ୍ସବରେ ଯୋଗଦେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏ ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ ଏହି ଉତ୍ସବ ଆୟୋଜନ ଯାଦବ ସମାଜ କରୁଛି ତଥାପି ମଧ୍ୟ ଏଠାରେ ଆମ ଅଂଚଳର ପ୍ରତ୍ୟେକ ଜାତି, ଧର୍ମ, ବର୍ଣ୍ଣ ଲୋକେ ସମବେତ ହୋଇ ଭାଇଚାରା ବାର୍ତ୍ତା ବାଣ୍ଟୁଛନ୍ତି । ଏହି ଉତ୍ସବ ସମସ୍ତଙ୍କ ଭିତରେ ଏକତା ଭାବ ଉଦ୍ରେକ କରୁ ଯାହା ଦ୍ୱାରା ଆମେ ସମସ୍ତେ ଏକତ୍ରିତ ହୋଇ ଆମ ଅଂଚଳକୁ ପ୍ରତ୍ୟେକ କ୍ଷେତ୍ରରେ ବିକଶିତ କରିପାରିବା । ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ଯାଦବ ସମାଜ ଓ ପୋରାଂଚଳ ଯାଦବ ସମାଜ ବଲାଙ୍ଗିର ଦ୍ୱାରା ଗତ ୩୦ ବର୍ଷ ଧରି ଦୋଳ ମହୋତ୍ସବ ସୁରୁଖୁରୁରେ ମହାଆଡମ୍ବରରେ ପାଳନ କରାଯାଉଛି । ଯାଦବ ସମାଜ କାର୍ଯ୍ୟାଳୟରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ସହ ଭଗବାନଙ୍କୁ ଦୋଳରେ ବସାଇ ଏହି ଦିନ ନଗର ପରିକ୍ରମା କରାଯାଇଥାଏ । ଏ ବର୍ଷ ଏହି ମହୋତ୍ସବର ମୁଖ୍ୟକର୍ତ୍ତା ଭାବରେ ଯୁବ ଯାଦବ ରାଧାରମଣ ବଗର୍ତ୍ତୀ ଓ ତାଙ୍କ ଧର୍ମପତ୍ନୀ ସୁଷମା ବଗର୍ତ୍ତୀ ଦାୟିତ୍ୱ ବହନ କରିଛନ୍ତି । ପୌରାଂଚଳ ଯୁବ ଯାଦବ ସଭାପତି ସନ୍ଦୀପ ବାଗଙ୍କ ନେତୃତ୍ୱରେ ଆୟୋଜିତ ଏହି ଦୋଳ ମହୋତ୍ସବରେ ଖୁସିରାମ ଦୀପ, ପ୍ରଦୀପ କୁମାର ଦାଶ, ପିଣ୍ଟୁ ମହାକୁର, ଭବାନୀ ଦୀପ, ତ୍ରିନାଥ ଚନ୍ଦନ, ପ୍ରଫୁଲ୍ଲ ପୋଡ, ସଂପାଦକ ପ୍ରଶାନ୍ତ ଷାଣ୍ଢ, ଉପଦେଷ୍ଟା ସତ୍ୟନାରାୟଣ ବାଗ, ମହେନ୍ଦ୍ର ବାଗ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ଏହି ଦୋଳ ଉତ୍ସବରେ ଯାଦବ ସମାଜର ଅନେକ ଯୁବକ, ଛାତ୍ର, ମହିଳାଙ୍କ ସମେତ ସହରର ବିଭିନ୍ନ ରାଜନୈତିକ ନେତୃତ୍ୱମାନେ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.